ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନକିଣାରେ ଫଲ୍ସ ଏଣ୍ଟ୍ରି ଜଣାପଡ଼ିଛି। ୫ମିନିଟ୍ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯାଇଥିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା ସହ ରାଜ୍ୟ ବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ଏବଂ ପଦ୍ମପୁର ସହକାରୀ ଯୋଗାଣ ଅଧିକାରୀଙ୍କ ନେତୃତ୍ୱରେ ଏହାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଛି। ସମ୍ପୃକ୍ତ ଟିମ୍ ବୁଧବାର ସମ୍ପୃକ୍ତ ମଣ୍ଡିକୁ ଯାଇ ଏହାର ପ୍ରାଥମିକ ତଦନ୍ତ କରି ଫେରିଥିବା ଜଣାପଡ଼ିଛି। ଉକ୍ତ ଟିମ୍ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ଜିଲାରେ ରବି ଧାନ ଚାଷକାର୍ଯ୍ୟ ଆଗେଇ ଚାଲିଛି। ହେଲେ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ଖରିଫ୍ରେ ଅମଳ କରିଥିବା ଧାନକୁ ବିକ୍ରି କରିପାରି ନାହାନ୍ତି। ବିକ୍ରି ଅପେକ୍ଷାରେ ସେମାନଙ୍କ ଧାନ ଜିଲାର ବିଭିନ୍ନ ମଣ୍ଡି (ଧାନକ୍ରୟ କେନ୍ଦ୍ର)ରେ ପଡ଼ି ରହିଛି। ଅନ୍ୟପଟେ ମଣ୍ଡିକୁ ଆସି ନ ଥିବା ଧାନ ମଧ୍ୟସ୍ଥ(ବେପାରୀ)ଙ୍କ ଜରିଆରେ ସିଧାସଳଖ କେତେକ ନିର୍ଦ୍ଦିଷ୍ଟ ରାଇସ୍ ମିଲକୁ ଯାଉଛି। ତାକୁ ବିଭାଗୀୟ କର୍ମଚାରୀମାନେ କାଗଜାତ୍ରେ ଫଲ୍ସଏଣ୍ଟ୍ରି କରୁଥିବା ଅଭିଯୋଗ ହୋଇଛି। ଜିଲାର ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ବଡ଼ବାଉଶେନ ଅନ୍ତର୍ଗତ ତଥା ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆର୍ଏମସି) ଅଧିନ ଖରମୁଣ୍ଡା ଧାନକ୍ରୟ କେନ୍ଦ୍ର (ଏମୱାଇ୦୩୭୧୨)ରେ ୫ମିନିଟ୍ ବ୍ୟବଧାନରେ ଗୋଟିଏ ଗାଡ଼ି ନଂ. ଓଡ଼ି୧୭କେ ୪୪୯୭ରେ ୨ଟି ରାଇସ୍ ମିଲକୁ ଯଥାକ୍ରମେ ୧୮୫ ପକେଟ୍ ବା ୮୩.୭୨ କୁଇଣ୍ଟାଲ ଏବଂ ୧୬୦ପକେଟ୍ ବା ୬୫.୩୧ କୁଇଣ୍ଟାଲ ଧାନ ଯାଇ ମଣ୍ଡି ଓ ମିଲ୍ରେ ଲୋଡ୍, ଅନଲୋଡ଼ ହେବା ଘଟଣା ସମସ୍ତଙ୍କୁ ଚକିତ କରି ପକାଇଛି। ବୁଧବାର ଧରିତ୍ରୀରେ ସଚିତ୍ର ଯୋଗାଣ ବିଭାଗ ପକ୍ଷରୁ ଇସ୍ୟୁ ହୋଇଥିବା ଟ୍ରାନଜିଟ୍ ପାସ୍ କମ ଏକସେପଟେନ୍ସ ନୋଟ୍ କପି ସହ ଖବର ପ୍ରକାଶ ପାଇବା ପରେ ଘଟଣାଟି ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି।
ତେବେ ଏହି ଘଟଣାକୁ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ମଧ୍ୟ ଗୁରୁତ୍ୱର ସହିତ ନେଇଥିବା ଜଣାପଡ଼ିଛି। ଖବର ପ୍ରକାଶ ପାଇବା ପରେ ବୁଧବାର ଜିଲାପାଳ ଗୋୟଲ ଏହାର ବିଧିବଦ୍ଧ ତଦନ୍ତ ସହିତ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଆଚାର୍ଯ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତକାରୀ ଟିମ୍ଙ୍କ ରିପୋର୍ଟ ଏବଂ ସେହି ଅନିୟମିତତାରେ ସମ୍ପୃକ୍ତ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାକୁ ସମସ୍ତେ ଚାହିଁ ବସିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ (ସିଏସଓ) ଦିବ୍ୟସିଂ ବଡ଼ମାଳି କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ଆସିବା ପରେ ଯାହାକିଛି କାର୍ଯ୍ୟାନୁଷ୍ଠାନ ନିଆଯିବ।
ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ଫଲ୍ସ ଏଣ୍ଟ୍ରି ନୂଆ କଥା ନୁହେଁ। ପ୍ରତ୍ୟେକ ବର୍ଷ ଏହା ହେଉଛି। କୃଷକ ସଙ୍ଗଠନ ଯେତେ ଅଭିଯୋଗ କଲେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯାନୁଷ୍ଠାନ ନିଆଯାଉ ନାହିଁ। ବରଂ ଏଭଳି ଘଟଣା ଦିନକୁ ଦିନ ବଢ଼ି ଚାଲିଛି। ଖରମୁଣ୍ଡା ମଣ୍ଡିରୁ ଆସିଥିବା ଘଟଣା ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ। ଧାନ କିଣାବିକାରେ ସରକାରଙ୍କ ପାରଦର୍ଶିତା, ସ୍ବଚ୍ଛତା ନାହିଁ। କାଗଜପତ୍ରରେ କେବଳ ଧାନ କିଣାବିକା ଚାଲିଛି। ବରଗଡ଼ ଜିଲାରେ ଯେତେ ଧାନ ସଂଗ୍ରହ ହେଉଛି, ତାର ତୁଳନାତ୍ମକ ରାସ୍ତା, ଗାଡ଼ି, ମୋଟର କିମ୍ବା ମଣ୍ଡିରେ ଧାନ କିଣାବିକା ପରିଚାଳନା ପାଇଁ ଅଧିକାରୀ କର୍ମଚାରୀ ନାହାନ୍ତି। ସିସି କ୍ୟାମେରା, ଭେଇକିଲ୍ ଟ୍ରାକିଂ ସିଷ୍ଟମ ସମ୍ପୂର୍ଣ୍ଣ ବିଫଳ ହୋଇଛି। ତେବେ ଏଭଳି ଫଲ୍ସଏଣ୍ଟ୍ରି ଧାନ ସଂଗ୍ରହ ପ୍ରକ୍ରିୟାରେ ସମ୍ପୃକ୍ତ ସମସ୍ତ ଅଧିକାରୀ, ମିଲର୍ସ, ଧାନକ୍ରୟ ସଂସ୍ଥାର ଜାଣତରେ ହେଉଥିବା ଏବଂ ଏଥିରେ ରାଜନେତା, ବେପାରୀଙ୍କ ସମ୍ପୃକ୍ତି ରହିଥିବା ଯୋଗୁ ଏହି ଅନିୟମିତତା ଉପରେ ମଧ୍ୟ ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶା କରୁନାହିଁ।