କୁଜଙ୍ଗ,୨୬।୧(ମନୋଜ ପ୍ରଧାନ): ସାରା ଦେଶ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ ପତାକା ଅବତରଣ କରିବା ସମୟରେ ବିଦ୍ୟୁତ ଆଘାତ ଲାଗି ଓମ ପ୍ରକାଶ ଦ୍ବିବେଦୀ (୧୪) ନାମକ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଅକାଳ ବିୟୋଗ ଘଟିଛି।
କୁଜଙ୍ଗ ସାଗର ରୋଡ୍ସ୍ଥିତ ‘ଟପ୍ପର’ ନାମକ ଏକ ଘରୋଇ କୋଚିଂ ସେଣ୍ଟରରେ ଏହି ଅଘଟଣ ଘଟିଛି। ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଓମ ପ୍ରକାଶ କୋଚିଂ ସେଣ୍ଟର ଛାତ ଉପରେ ପତାକା ଅବତରଣ କରୁଥିଲେ। ଏହି ସମୟରେ ପତାକାରେ ଲାଗିଥିବା ଲୁହା ରଡ୍ଟି ହଲିଯାଇ ନିକଟରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ମୃତ ଛାତ୍ରଙ୍କ ଘର କେନ୍ଦ୍ରାପଡ଼ା ଜିଲା ମହାକାଳପଡା ଥାନା ତେରଗାଁ ଅଞ୍ଚଳରେ। ସେ କୁଜଙ୍ଗ ସମାଗୋଳ ସ୍ଥିତ ମାମୁ ଘରେ ରହି କୁଜଙ୍ଗ ବିବି ହାଇସ୍କୁଲରେ ପାଠ ପଢୁଥିଲେ।
ଏହି ଘଟଣା ପାଇଁ କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତିକୁ ସାଧାରଣରେ ଦାୟୀ କରାଯାଇଛି। ବିପଦପୂର୍ଣ୍ଣ ଭାବେ ବିଦ୍ୟୁତ ତାର ନିକଟରେ କିଭଳି ପତାକା ଉତ୍ତୋଳନ ପାଇଁ ଅନୁମତି ଦିଆଗଲା, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୁଜଙ୍ଗ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।