ପାରାଦୀପ ଘରୋଇ ବର୍ଥରେ ଅଘଟଣ: ଜାହାଜରୁ ଖସି ପଡିଲେ ଚାଇନା ନାଗରିକ ନିଖୋଜ

ପାରାଦୀପ ୫।୯(ଶରତ ରାଉତ): ପାରାଦୀପ ବନ୍ଦର ୫ନଂ ଗେଟ୍‌ ପାଖରେ ବିଓଟି (ବିଲ୍ଡ ଅପରେଟ ଟ୍ରାନ୍ସପୋର୍ଟ)ବେସିସରେ କ୍ଲିନ କାର୍ଗୋ ବର୍ଥ ପରିଚାଳନା କରୁଥିବା ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ)ବର୍ଥରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି। ପାନାମା ଜାତୀୟ ପତାକା ଲଗାଇ ଆସିଥିବା ପଣ୍ୟବାହୀ ଜାହାଜ ଏମ ଭି ଲକି ଡ୍ରାଗନରୁ ଖସି ଜଣେ ଚାଇନା ନାବିକ ନିଖୋଜ ଅଛନ୍ତି। ସେ ହେଲେ ଝାଙ୍ଗ ତାଇ। ଆଉ ଜଣେ ବାଂଲାଦେଶୀ ନାବିକ ପାଣିରେ ବୁଡି ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି। ଆହତ ନାବିକଙ୍କ ପରିଚୟ ମିଳିନାହିଁ।ତାଙ୍କୁ ପିଆଇସିଟି କର୍ତ୍ତୃପକ୍ଷ ଅଧିକ ଚିକିତ୍ସା ପାଇଁ କଟକ ନେଇଥିବା ଜଣାପଡିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉକ୍ତ ଜାହାଜ ଏମ ଏସ ରଶ୍ମି ସିମେଣ୍ଟ ଲିମିଟେଡ଼ କମ୍ପାନୀର ପିଗ ଆଇରନ ବୋଝେଇ କରି ସକାଳେ ବର୍ଥ ଛାଡିବା ପାଇଁ ପ୍ରସ୍ତୁତି ଚଳାଇଥିଲା। ନିଖୋଜ ନାବିକ ଝାଙ୍ଗ ତାଇ ଜାହାଜ ଶିଡି ରଶୀ ଖୋଲିବା ବେଳେ ତାହା ଛିଡିଯାଇଥିଲା। ଫଳରେ ନାବିକ ତାଇ ଛିଟ୍‌କି ପାଣିରେ ପଡି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ବାଂଲାଦେଶ ନାବିକ ପାଣିକୁ ଡେଇଁ ପଡି ଚେଷ୍ଟା କରିଥିଲେ ହେଁ ଅସଫଳ ରହିଥିଲେ। ସେ ମଧ୍ୟ ବୁଡି ଯାଇଥିଲେ। ତାଙ୍କୁ ଅନ୍ୟ ନାବିକ ଦୌଡି ଦ୍ୱାରା ଉଦ୍ଧାର କରିଥିଲେ।ଘଟଣା ପରେ କୋଷ୍ଟଗାର୍ଡ ବନ୍ଦର ମେରାଇନ ବିଭାଗ ସିଆଇଏସଏଫ ପୋଲିସ ଆଦି ସଂସ୍ଥାର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।ବନ୍ଦର ଅଧ୍ୟକ୍ଷ ପି ଏଲ ହାରାନ୍ଧ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଜଣେ ବୁଡାଳି ଜରିଆରେ ନିଖୋଜ ନାବିକଙ୍କ ସନ୍ଧାନ ଚାଲିଛି। ରିପୋର୍ଟ ଲେଖା ହେବା ସୁଦ୍ଧା ଜାହାଜ ସେହି ପିଆଇସିଟି ବର୍ଥରେ ରହିଛି। ଘଟଣା ସମ୍ପର୍କରେ ପିଆଇସିଟି ମାନବସମ୍ବଳ ଅଧିକାରୀ ଶାରଦା ନାୟକଙ୍କୁ ପଚାରିଲେ କୁହିଛନ୍ତି ମୁଁ ଭୂବନେଶ୍ୱରରେ ଅଛ। କିଛି ଜାଣିନାହିଁ। ସୂଚନାଯୋଗ୍ୟ ଉକ୍ତ ବର୍ଥରେ ଗତ ୨୦୨୩ ନଭେମ୍ବର ୩୦ରେ ୨୨୦ କୋଟି ଟଙ୍କାର କୋକେନ ମିଳିଥିଲା। ଯାହା ଏପର୍ଯ୍ୟନ୍ତ ରହସ୍ୟମୟ ରହିଛି। ସେହିପରି ଏକାଧିକ ବାର ଦୁର୍ଘଟଣା ଓ ନାବିକଙ୍କ ମୃତ୍ୟୁ ଘଟିଛି।

Share
Tags: odisha