ଏଇ ଭାରତରେ

ବହୁ ସମୟରେ ଚାଷୀମାନେ ମାର୍କେଟ ତଥା ଶୀତଳଭଣ୍ଡାର ଅଭାବରୁ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ କୃଷିଜାତ ଉପତ୍ାଦ ନଷ୍ଟ କରିଦିଅନ୍ତି। ଏଭଳି ସ୍ଥିତିରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉତ୍ତରାଖଣ୍ଡର ନିଧି ପନ୍ଥଙ୍କ ପରିବେଶ ଉପଯୋଗୀ ଫୁଡ୍‌ ପ୍ରୋସେସିଂ ପଦ୍ଧତି ଅନେକାଂଶରେ ଉପଯୋଗୀ ହୋଇପାରିଛି। ନିଧି ଓ ତାଙ୍କର ୬ ଜଣ କଲେଜ ସାଙ୍ଗ ମିଶି ଏକ କୃଷିଭିତ୍ତିକ ଷ୍ଟାଟଅପ୍‌ ‘ସାଇନ୍ସ ଫର୍‌ ସୋସାଇଟି’ ଗଠନ କରିଛନ୍ତି। ନଷ୍ଟ କରିଦିଆଯାଉଥିବା ପନିପରିବା ଚାଷୀଙ୍କଠାରୁ ଆଣି ତାହାକୁ ପ୍ରୋସେସିଂ କରି ବିକ୍ରି କରୁଛନ୍ତି। ଗରିବ ମହିଳା ଏବଂ ଜଳବାୟୁ ପରିବର୍ତ୍ତନରେ ପ୍ରଭାବିତ ସମୁଦାୟର ମହିଳାମାନଙ୍କୁ ଏହାର ବିକ୍ରି କାର୍ଯ୍ୟରେ ନିୟୋଜିତ କରିଛନ୍ତ ନିଧି। ଏହା ବ୍ୟତୀତ ଏହି ପଦ୍ଧତି ସମ୍ପର୍କରେ ପ୍ରଶିକ୍ଷଣ ଦେଇ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ୨୦୦୦ ମହିଳାଙ୍କୁ ଉଦ୍ୟୋଗୀ ଭାବେ ସଶକ୍ତ କରାଇଛନ୍ତି। ପରୋକ୍ଷରେ ୬୦୦୦ କ୍ଷୁଦ୍ରଚାଷୀ ମଧ୍ୟ ଉପକୃତ ହେଉଛନ୍ତି। ବଡ଼କଥା ହେଉଛି, ନିଧି କୌଣସି କେମିକାଲ ବ୍ୟବହାର ନ କରି ଏ ସବୁର ପ୍ରୋସେସିଂ କରୁଛନ୍ତି। ଏଥିଲାଗି କେବଳ ସୌର ବିଦ୍ୟୁତ୍‌ ବ୍ୟବହାର କରୁଛନ୍ତି। ସେ ଟମାଟୋ ପାଉଡର, ପିଆଜ ଫ୍ଲେକ୍‌ ଏବଂ ଅଦା ଦାନା ପ୍ରସ୍ତୁତ କରୁଛନ୍ତି। ଏହାକୁ ଫୁଡ୍‌ ଏବଂ ପାନୀୟ ଇଣ୍ଡଷ୍ଟ୍ରିକୁ ଯୋଗାଉଛନ୍ତି। ନିଧି ଏହି କାର୍ଯ୍ୟ ଲାଗି ଏସିଆ ଓ ଭାରତର ୩୦ ବର୍ଷରୁ କମ୍‌ ଉଦ୍ୟୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।