ଏଇ ଭାରତରେ

ଜାଳେଣି କାଠର ବିକଳ୍ପ ସ୍ବଚ୍ଛ ଇନ୍ଧନ ଆବିଷ୍କାର କରି ବାୟୁ ପ୍ରଦୂଷଣ ରୋକିବାରେ ସକ୍ରିୟ ଭୂମିକା ନେଉଛନ୍ତି ମହାରାଷ୍ଟ୍ରର ଡ. ପ୍ରିୟଦର୍ଶିନୀ କାର୍ଭେ। ସେ ରହୁଛନ୍ତି ପୁଣେଠାରୁ ପାଖାପାଖି ୧୦୦ କି.ମି. ଦୂର ଫାଲଟନ ସହରରେ। କାର୍ଭେ କୃଷିଜାତ ବର୍ଜ୍ୟରୁ ଜୈବଇନ୍ଧନ ପ୍ରସ୍ତୁତ କରୁଛନ୍ତି। ନୂତନ ଟେକ୍‌ନୋଲୋଜିରେ ସେ କୃଷି ବର୍ଜ୍ୟରୁ ଜୈବଅଙ୍ଗାର ଇନ୍ଧନ (ବାୟୋଚାର୍‌ ଫୁଏଲ) ତିଆରି କରୁଛନ୍ତି। ଏହି ପ୍ରକାର ସ୍ବଳ୍ପ ଇନ୍ଧନରେ କମ୍‌ ସମୟରେ ରୋଷେଇ ପାଇଁ ସେ ମଧ୍ୟ ଏକ ଷ୍ଟୋଭ ନିର୍ମାଣ କରିଛନ୍ତି। ଏହାର ନାମ ରଖିଛନ୍ତି ‘କାର୍ଭେ ଷ୍ଟିମ୍‌ କୁକିଂ ଷ୍ଟୋଭ୍‌’। ଏଥିରେ ମାତ୍ର ୧୦୦ ଗ୍ରାମ ଜୈବଅଙ୍ଗାର ଜାଳେଣି ଓ ଏକ ଗ୍ଲାସ ପାଣି ବ୍ୟବହାର ହେଉଛି। ଏହି ପରିମାଣ ଜାଳେଣି ୩୦ ମିନିଟ ଧରି ଜଳିବା ପରେ ଷ୍ଟିମ୍‌ରେ ୪ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇପାରୁଛି। ସ୍କୁଲରେ ପଢିବା ସମୟରେ ସେ ଆଖୁବର୍ଜ୍ୟ ପୋଡ଼ି ଜନିତ ପ୍ରଦୂଷଣକୁ ଲକ୍ଷ୍ୟ କରିଥିଲେ ଓ ସେବଠୋରୁ ଏହାର ବିକଳ୍ପ ଚିନ୍ତା କରୁଥିଲେ। କାର୍ଭେ ଉଚ୍ଚଶିକ୍ଷା ଲାଭ କରି ଦୀର୍ଘ ୨୦ ବର୍ଷ ହେଲା ଗବେଷଣା କରିବା ପରେ ଏହି ସଫଳତା ପାଇଛନ୍ତି। ଏଭଳି ଆବିଷ୍କାର ଯୋଗୁ ଜାଳେଣି କାଠ ଇନ୍ଧନ ବ୍ୟବହାର କମ୍‌ ହେବା ସହ ବାୟୁ ପ୍ରଦୂଷଣ ହ୍ରାସ ଲାଗି ଉପଯୋଗୀ ହୋଇପାରିଛି। ତାଙ୍କ କମ୍ପାନୀ ଏବେ ୬୦,୦୦୦ ଷ୍ଟୋଭ ବିକ୍ରି କରିସାରିଲାଣି।