ଏଇ ଭାରତରେ

ଅନେକ ସମୟରେ ତୃଣମୂଳ ସ୍ତରରେ ଜଣଙ୍କ ଅଭିନବ ଉପାୟ ଅନେକଙ୍କ ପାଇଁ ଲାଭଦାୟକ ହୋଇଥାଏ, ଯାହା କରିଛନ୍ତି ମହାରାଷ୍ଟ୍ରର ଜଗନ ପ୍ରହଲ୍ଲାଦ ବଗଡ଼େ। ସେ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବରୁ ଫସଲକୁ ରକ୍ଷା କରିବା ଲାଗି କଣ୍ଟାଜାତୀୟ ଗଛରେ ଜୈବ ବାଡ଼ କରିବା ସହ ଅନ୍ୟମାନଙ୍କୁ ଏଥିଲାଗି ପ୍ରୋତ୍ସାହିତ କରୁଛନ୍ତି। ଏଣୁ ତାଙ୍କୁ ଲୋକେ ‘କାକ୍‌ଟସ ମ୍ୟାନ୍‌’ ବୋଲି କହୁଛନ୍ତି। ଏହି ବାଡ଼ ପରିବେଶ ଉପଯୋଗୀ ଏବଂ କମ୍‌ ଖର୍ଚ୍ଚରେ ହୋଇପାରୁଛି। ଅକୋଲା ଜିଲା ଖପାରଓ୍ବାଡ଼ି ବୁଡ୍ରୁକ ଗାଁରେ ୩୦ ଏକର ପରିମିତ ଫାର୍ମରେ ନାଗଫେଣୀ ବଂଶର କଣ୍ଟାଗଛରେ ୧୨ ଫୁଟର ବାଡ଼ କରିଛନ୍ତି। ଏଥିପାଇଁ ତାଙ୍କୁ ୭ ବର୍ଷ ସମୟ ଲାଗିଯାଇଛି। ଏହି ଜୈବ ବାଡ଼କୁ ଜୀବନ୍ତ ବାଡ଼ ମଧ୍ୟ କୁହାଯାଉଛି। ଉକ୍ତ ବାଡ଼ କରିବା ସମୟରେ ଲୋକେ ତାଙ୍କୁ ପାଗଳ ବୋଲି କହୁଥିଲେ। ହେଲେ ତାଙ୍କ ପଦ୍ଧତିକୁ ଏବେ ଶହ ଶହ ଚାଷୀ ଆପଣାଇଛନ୍ତି। କେବଳ ଏତିକି ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ତାଙ୍କ ଦ୍ୱାରା କରାଯାଇଥିବା ଜୈବ ବାଡ଼କୁ ଦେଖିବାକୁ ଆସୁଛନ୍ତି ଓ ବାଡ଼ ସମ୍ପର୍କରେ ଶିକ୍ଷା ଗ୍ରହଣ କରିବା ସହ ମାଗଣାରେ କାକ୍‌ଟସ କଟିଂ ନେଇଯାଉଛନ୍ତି। ଜୈବ ବାଡ଼ କରି ଚାଷୀମାନେ ତାରବାଡ଼ କରିବାରେ ହେଉଥିବା ଅତ୍ୟଧିକ ବ୍ୟୟରୁ ମୁକ୍ତ ହୋଇପାରୁଛନ୍ତି।