ଏଇ ଭାରତରେ

କୃଷି ପାଇଁ ଶୁଷ୍କ ଅଞ୍ଚଳ ବଡ଼ ସମସ୍ୟା। ତେବେ ଏହାକୁ କିଭଳି ଦୂର କରାଯାଇ ପାରିବ ତାହାର ଏକ ମଡେଲ ସାମ୍ନାକୁ ଆଣିଛି ମହାରାଷ୍ଟ୍ରର ଏକ ଗାଁ। ଏହି ଗାଁର ନାଁ କଡ଼ଓ୍ବାଞ୍ଚି। ମରୁଡିପ୍ରବଣ ମରାଠାଓ୍ବାଡ଼ାର ୧ ହଜାରରୁ ଊର୍ଦ୍ଧ୍ୱ ଲୋକ ବାସକରୁଥିବା ଏହି ଗାଁ ଏବେ ଜଳ ସଂରକ୍ଷଣ ଓ କୃଷିର ନିଆରା ଉଦାହରଣ ସୃଷ୍ଟି କରିଛି। ଗ୍ରାମବାସୀ କୃଷିରୁ ବର୍ଷକୁ ପାଖାପାଖି ୭୨ କୋଟି ଟଙ୍କା ରୋଜଗାର କରୁଛନ୍ତି। ପ୍ରତିବର୍ଷ ମରୁଡି ଯୋଗୁ ଲୋକମାନେ କାମ ଅନ୍ବେଷଣରେ ଗାଁ ଛାଡି ସହରକୁ ଚାଲିଯାଉଥିଲେ। ତେବେ ସେମାନଙ୍କ ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି ୧୯୦୦ ଦଶକର ମଧ୍ୟଭାଗରୁ ଚାଷକୁ ମୁଖ୍ୟ ପେସା ଭାବେ ଗ୍ରହଣ କରିବାକୁ ଗ୍ରାମବାସୀ ମନସ୍ଥ କରିଥିଲେ। ପାଣି ସମସ୍ୟା ଦୂର କରିବା ଲାଗି ସେମାନେ ପୋଖରୀ ଖୋଳିବା ଆରମ୍ଭ କରିଥିଲେ। ପୋଖରୀରେ ପାଣି ସଂରକ୍ଷିତ ହୋଇ ରହିବା ଦ୍ୱାରା ଧୀରେ ଧୀରେ ଭୂତଳ ଜଳସ୍ତର ବୃଦ୍ଧି ଘଟି କୂଅ ଓ ନଳକୂଅରେ ପ୍ରଚୁର ପାଣି ଉପଲବ୍ଧ ହେଲା। ଏଥିଯୋଗୁ ଗ୍ରାମବାସୀ ସେମାନଙ୍କ ଚାଷ ଆଗକୁ ବଢ଼ାଇବାରେ ଲାଗିଲେ। ଏବେସୁଦ୍ଧା ଗାଁରେ ସେମାନେ ମିଳିତ ଭାବେ ୬୫୦ଟି ପୋଖରୀ ଖୋଳିସାରିଲେଣି ଓ ୧,୫୦୦ ଏକର ଜମିରେ ଅଙ୍ଗୁର ଚାଷ କରିପାରୁଛନ୍ତି। ଏହା ବାଦ୍‌ ସେମାନେ ଡାଳିମ୍ବ ଓ ବିଭିନ୍ନ ପନିପରିବା ଚାଷ କରି ରୋଜାଗାର ବଢ଼ାଇ ପାରିଛନ୍ତି। ଶୁଖିଲା ଜମିକୁ ଶସ୍ୟ ଶ୍ୟାମଳା କରିବା ପାଇଁ ଗ୍ରାମବାସୀଙ୍କ ଉଦ୍ୟମ ଏବେ ଗାଁକୁ ସମ୍ପୂର୍ଣ୍ଣ ମରୁଡ଼ିମୁକ୍ତ କରିପାରିଛି। ପ୍ରଚୁର ଅଙ୍ଗୁର ଉପତ୍ାଦନ ହେଉଥିବାରୁ କୃଷକମାନେ ବିଦେଶକୁ ଅଙ୍ଗୁର ରପ୍ତାନି କରିବାକୁ ଯୋଜନା କରିଛନ୍ତି। ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ୨୦୦ ଏକର ଜମିରେ ଜଙ୍ଗଲ ମଧ୍ୟ କରାଯାଇଛି।