କେରଳର ଏନ୍.ଏସ୍. ରାଜପ୍ପାନ ଏକ ନିଆରା ବ୍ୟକ୍ତିତ୍ୱ। ତାଙ୍କୁ ବୟସ ଏବେ ୬୯ ବର୍ଷ । ରାଜପ୍ପାନ ପିଲାଦିନରୁ ପକ୍ଷାଘାତର ଶିକାର ହୋଇ ଏକ ଭିନ୍ନ ଜୀବନ ଜିଇଛନ୍ତି। ଗୋଟିଏ ପଟେ ସେ ପରିବେଶ ପ୍ରଦୂଷଣ ହ୍ରାସ କରିବା ଲାଗି ପଦକ୍ଷେପ ନେବା ସହ ଅନ୍ୟପଟେ ଦିବ୍ୟାଙ୍ଗ ଭାବେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସେ ପ୍ରତିଦିନ ସକାଳୁ ତାଙ୍କ ଘରପାଖରେ ପ୍ରବାହିତ ମିନାଚ୍ଛିଲ ନଦୀକୁ ଯାଇ ଡଙ୍ଗାରେ ପ୍ଲାଷ୍ଟିକ ବୋତଲ ଏବଂ ଅନ୍ୟାନ୍ୟ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ପରେ ତାହାକୁ ରିସାଇକ୍ଲିଂ କେନ୍ଦ୍ରରେ ଦେଉଛନ୍ତି। ଏଥିରୁ ରୋଜଗାର ହେଉଛି ସତ, କିନ୍ତୁ ତାଙ୍କର ମୁଖ୍ୟ ଲକ୍ଷ୍ୟ ପରିବେଶ ସୁରକ୍ଷା। ସେ ପରିବେଶ ସ୍ବଚ୍ଛତାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି। ବଡ଼କଥା ହେଉଛି, ଦୀର୍ଘଦିନ ହେଲା ସେ ଏହି କାର୍ଯ୍ୟ କରିଆସୁଥିଲେ ମଧ୍ୟ ତାଙ୍କ ସମ୍ପର୍କରେ କେହି ଜାଣିପାରି ନ ଥିଲେ। ତେବେ କେରଳର ଯୁବ ଫଟୋଗ୍ରାଫର କେ.ଏସ୍. ନନ୍ଦଙ୍କ ଫଟୋ ତାଙ୍କୁ ଲୋକଲୋଚନକୁ ଆଣିଛି। ନନ୍ଦ କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ, ବରଂ ନଜର ଆଢ଼ୁଆଳରେ ରହିଯାଉଥିବା ରାଜପ୍ପାନଙ୍କ ଭଳି ଭିନ୍ନ ଜୀବନ ଗାଥାଗୁଡ଼ିକୁ ସାମ୍ନାକୁ ଆଣିପାରେ।

