ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି ସଫଳ ହୋଇଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ସେମାନେ କେବଳ ପାରମ୍ପରିକ ଦେଶୀ ଧାନ ଚାଷ କରୁଛନ୍ତି। ୨୦୧୪ରେ ପଶ୍ଚିମବଙ୍ଗ ସରକାର ମାଗଣାରେ ଚାଷୀଙ୍କୁ ଲବଣ ସହନଶୀଳ ଧାନ ବିହନ ଯୋଗାଇ ଦେଇଥିଲେ। ଏଥିରେ ଚାଷୀମାନେ ସଫଳତା ପାଇବା ପରେ ତାହାକୁ ସମୟକ୍ରମେ ବ୍ୟାପକ କରାଯାଇଛି। ସୁନ୍ଦରବନର ଦୁର୍ବାଛତି ଗାଁରେ ସିଡ୍ ବ୍ୟାଙ୍କ ଖୋଲାଯାଇଛି। ଏହାସହ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ କୃଷି ମେଳା ଅନୁଷ୍ଠିତ ହେଉଛି, ଯେଉଁଥିରେ କୃଷକମାନେ ସେମାନଙ୍କ ଚାଷ ପଦ୍ଧତି ପ୍ରଦର୍ଶନ କରୁଛନ୍ତି। ପ୍ରତିମାସରେ କୃଷକମାନେ ଏକାଠି ହୋଇ ଚାଷ ସମ୍ପର୍କରେ ଆଲୋଚନା କରୁଛନ୍ତି, ଯେଉଁଥିରେ ଜୈବିକ ସାର ପ୍ରସ୍ତୁତି ଏବଂ ବିହନ ସଂଗ୍ରହ ସମ୍ପର୍କରେ ଆଲୋଚନା କରାଯାଇଛି। ଏବେ ଏହି ସିଡ୍ ବ୍ୟାଙ୍କରୁ ଦେଶୀ ଧାନ ବିହନ ପଶ୍ଚିମବଙ୍ଗର ଅନ୍ୟ ଅଞ୍ଚଳକୁ ମଧ୍ୟ ଯୋଗାଇ ଦିଆଯାଉଛି। କହିବାକୁ ଗଲେ ଏଠାକାର କୃଷକମାନେ କେବଳ କୃଷକ ନୁହନ୍ତି, ସେମାନେ ଐତିହ୍ୟର ବାହକ, ଜୈବବିବିଧତାର ରକ୍ଷକ ସାଜିଛନ୍ତି।
Dharitri – Odisha’s No.1 Odia Daily

