ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ସେ ଜିଲାର ବିଭିନ୍ନ ଗାଁରୁ ୧୦୦ ପିଲାଙ୍କୁ ବାଲ୍ୟବିବାହ ପଞ୍ଝାରୁ ମୁକୁଳାଇ ସାରିଲେଣି। ଏଥିପାଇଁ ସେ ‘ମିଶନ ସଙ୍କଳ୍ପ’ ଚଳାଇଛନ୍ତି। ଏହି ମିଶନ ଏବେସୁଦ୍ଧା ଜିଲାର ୧୦ଟି ଗାଁକୁ ସମ୍ପୂର୍ଣ୍ଣ ବାଲ୍ୟବିବାହମୁକ୍ତ ଘୋଷଣା କରିସାରିଛି। ଏହି ଗାଁର ଗ୍ରାମବାସୀ, ଅଭିଭାବକ, ଶିକ୍ଷକମାନେ ଏକାଠି ହୋଇ ଏଥିପାଇଁ କାମ କରୁଛନ୍ତି। ସେମାନେ ପିଲାମାନଙ୍କ ଶିକ୍ଷା ଉପରେ ଏବେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ନ୍ୟାଶନାଲ ଫ୍ୟାମିଲି ହେଲ୍ଥ ସର୍ଭେ-୫(ଏନ୍ଏଫ୍ଏଚ୍ଏସ୍-୫) ଅନୁଯାୟୀ, ସେପାହିଜାଲାର ୫୧% ବାଳିକାଙ୍କୁ ୧୮ ବର୍ଷ ପୂର୍ବରୁ ବିବାହ କରିଦିଆଯାଏ। ଏପରିକି ୨୬% କିଶୋରୀ ମା’ ହୋଇଥାନ୍ତି। ହେଲେ ଜୟସ୍ବାଲଙ୍କ ପଦକ୍ଷେପ ଏଥିରେ ଯଥେଷ୍ଠ ସୁଧାର ଆଣିପାରିଛି।


