ଗଞ୍ଜାମ,୨୮ା୨(ବିଦ୍ୟାଧର ସାହୁ): ସହର ନିକଟରେ ଐତିହାସିକ ପୋତାଗଡ଼ ଦୁର୍ଗ ଅବସ୍ଥିତ। ଏହି ପୋତାଗଡ଼ ଦୁର୍ଗକୁ ବୁଲିବାକୁ ବର୍ଷ ତମାମ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ବର୍ତ୍ତମାନ ପୋତାଗଡ଼ର ପୁନଃ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିବା ଲକ୍ଷରେ ତତ୍କାଳୀନ ତହସିଲଦାର ଅରୁଣ ନାୟକ ସେଠାରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ବେକାରୀ ଯୁବକଙ୍କୁ ନିୟୋଜିତ କରିଥିଲେ। ବର୍ତ୍ତମାନ ସେମାନଙ୍କ ସେଠାରେ ଆଉ ଦେଖିବାକୁ ମିଳୁ ନଥିବା ବେଳେ ଏବେ ସ୍ଥାନୀୟ ଅଞ୍ଚଳର ଆଉ ଜଣେ ଯୁବକ ପ୍ରତ୍ୟେକ ଦିନ ସେଠାରେ ଚେର ପକାଇ ବେଆଇନ ପାର୍କିଂ ଫି’ ଆଦାୟ କରୁଥିବା ଅଭିଯୋଗ ହୋଇଛି। ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କଠାରୁ ବାଇକ୍ ପିଛା ୧୦ ଟଙ୍କା ଏବଂ ଚାରିଚକିଆ କାର୍କୁ ୨୦ ଟଙ୍କା ଜୋରଜବରଦସ୍ତ ଆଦାୟ କରାଯାଉଥିବା ନେଇ କିଛି ପର୍ଯ୍ୟଟକ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପୋତାଗଡ଼ଠାରେ ନିଃଶୁଳ୍କରେ ପ୍ରବେଶ କରି ପାରିବେ ବୋଲି ବୋର୍ଡ ମରାଯାଇଛି। ପର୍ଯ୍ୟଟକ ଏହାର ପ୍ରତିବାଦ କରୁଥିଲେ ତାଙ୍କୁ ଧମକ ମିଳୁଛି ଯେ, ଏଠାରୁ ଫିଟିକି ଯାଇ ପାରିବନି ବୋଲି ଫଳରେ ବାଧ୍ୟ ହୋଇ ପରିବାର ନେଇ ଆସୁଥିବା ବ୍ୟକ୍ତି ପାର୍କିଂ ଫି’ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି। ଏସମ୍ପର୍କରେ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର କହିଛନ୍ତି, ଅଭିଯୋଗ ହୋଇଛି ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାର ଅପର୍ଣ୍ଣା ଡାଙ୍ଗୁଆ କହିଛନ୍ତି, ତଦନ୍ତ ନିମନ୍ତେ ସାନିଟେସନ ଏକ୍ସପର୍ଟ ଅଧିକାରୀ ନୋମେଶ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି କିନ୍ତୁ ଯୁବକ ଜଣକ ତାଙ୍କୁ ଦୁର୍ବ୍ୟବହାର କରିଥିବା ସାମାଜିକ ଗଣମଧ୍ୟମରେ ଏକ ଭିଡିଓରୁ ଜଣା ପଡୁଛି ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସେ ସୂଚନା ଦେଇଛନ୍ତି। ଆଦାୟ ହେଉଥିବା ଟଙ୍କା ରାଜସ୍ବ ବଦଳରେ ନିଜସ୍ବ ବୋଲି ସହରରେ ଚର୍ଚ୍ଚା ହେଉଛି। ଏହାକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ଅଞ୍ଚଳ ବୁଦ୍ଧିଜୀବୀ। ଆଗାମୀ ଦିନରେ ଏହାର ଦୃଢ଼ ପ୍ରତିବାଦ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ମିଳିଛି।