ପୁରୁଷୋତ୍ତମପୁର,୧୪ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ଗୋଟିଏ ଦିନରେ ବାରୁଣୀସ୍ନାନ ଓ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ରହିଥିବା ନେଇ କିଭଳି ଏହାର ମୁକାବିଲା କରାଯିବ ସେଥିନେଇ ପ୍ରଶାସନ ଚିନ୍ତାରେ ପଡ଼ିଯାଇଛନ୍ତି। ଏଥିନେଇ ଛତ୍ରପୁର ଉପଜିଲାପାଳ ଶୁଭାଶିଷ ବରାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। କିପରି ଦୁଇଟି ଯାତ୍ରାକୁ ପରିଚାଳନା କରାଯିବ ସେଥିନେଇ ବିସ୍ତୁତ ଆଲୋଚନା ହୋଇଥିଲା। ତାରାତାରିଣୀ ଆଛୁଲି ପ୍ରତାପୁର ରାସ୍ତା ଖାଲଖମା ହୋଇ ଅତି ଦୟନୀୟ ଭାବରେ ପଡ଼ିରହିଥିବା ହେତୁ ଭକ୍ତମାନେ ହଇରାଣ ହେଉଛନ୍ତି। ଏଣୁ ପୂର୍ତ୍ତବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପରସ୍ପର ଉପରେ ଦୋଷ ଲଦାଲଦି ନ ହୋଇ ଆଙ୍ଗୁଠି ନ ଦେଖାଇ ଭକ୍ତଙ୍କ ସ୍ବାର୍ଥଲାଗି ମିଳିମିଶି ତୁରନ୍ତ ରାସ୍ତାନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଉପଜିଲାପାଳ ପରାମର୍ଶ ଦେଇଛନ୍ତି।
ଉଭୟ ଯାତ୍ରାରେ ପ୍ରବଳ ଜନସମାଗମକୁ ନେଇ ଆଇନଶୃଙ୍ଖଳା ଓ ଟ୍ରାଫିକ ସମସ୍ୟାକୁ ଗୁରୁତ୍ୱ ଦେବାକୁ ପୋଲିସ ବିଭାଗ ତତ୍ପରତା ରହିବା ଲାଗି କୁହାଯାଇଛି। ପ୍ରତାପୁର ଋଷିକୂଲ୍ୟା ନଦୀ ବାରୁଣୀ ଘାଟରେ ଆଲୋକୀକରଣ କରିବା, ଋଷିକୂଲ୍ୟା ନଦୀରେ ପୋଲ ନିର୍ମାଣ ଲାଗି ବାରୁଣୀ ଘାଟଠାରେ ଖୋଳାଯାଇଥିବା ବିରାଟ ଖାଲରେ ପାଣି ଭର୍ତ୍ତି ହୋଇ ବିପଦପୂର୍ଣ୍ଣ ଭାବେ ରହିଛି ଯାହାକି ଭିଡ଼ ସମୟରେ ଭକ୍ତମାନେ ଖସି ପଡ଼ିଯିବାର ଆଶଙ୍କା ରହିଛି। ଏଣୁ ଏହାର ଚତୁଃପାର୍ଶ୍ୱରେ ବ୍ୟାରିକେଡ ନିର୍ମାଣ ଲାଗି ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଖରା ଓ ଗହଳିକୁ ଦୃଷ୍ଟିରେ ରଖି ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଯୋଗାଇଦେବା, ପାନୀୟ ଜଳଯୋଗାଣ କରିବା, ପରିମଳ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେବା, ତାରାତାରିଣୀ ପାହାଡ଼ ତଳୁ ଉପରକୁ ଯାତାୟାତ ଲାଗି ଅଧିକ ବର୍ଷ ନିୟୋଜିତ କରିବା, ଅଧିକ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରିବା ଆଦି ଭକ୍ତଙ୍କ ସୁରକ୍ଷା ଓ ସୁବିଧା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଇଥିଲା।
ଏଥିରେ ତହସିଲଦାର ବିନୋଦ କୁମାର ବେହେରା, ବିଡିଓ ଶରତ କୁମାର ପାତ୍ର, ଏନ୍ଏସି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ, ଏସ୍ଡିପିଓ ସୁଜିତ କୁମାର ନାୟକ, ଏବିଡିଓ ଜୟଶ୍ରୀ ନାୟକ, ଏନ୍ଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା,ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା,ତୁମ୍ବେଶ୍ବରମନ୍ଦିର ପରିଚାଳନା କମିଟି, ସମସ୍ତ ଜନପ୍ରତିନିଧି ଓ ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀମାନେ ଯୋଗଦେଇଥିଲେ।