ଓଡ଼ିଶାରେ ୪୦% ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନାହିଁ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଓମିକ୍ରନ୍‌ ସଂକ୍ରମଣ ବ୍ୟାପିଥିବା ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନଭେମ୍ବର ୨୪ ପରେ ଓଡ଼ିଶା ଆସିଥିବା ଲୋକଙ୍କ ମଧ୍ୟରୁ ୨୪୬ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ପଜିଟିଭ୍‌ ଚିହ୍ନଟ ପରେ ସେମାନେ କରୋନାର କେଉଁ ଭାରିଆଣ୍ଟର ଆକ୍ରାନ୍ତ, ତାହା ଜାଣିବା ପାଇଁ ସେମାନଙ୍କ ନମୂନା ଜିନୋମ୍‌ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଛି।

ସୋମବାର ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌) ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ପୂର୍ବରୁ ଆସିଥିବା ୧୪୧ ନମୁନାର ଜିନୋମ ସିକ୍ୱେସିଂ ହୋଇଥିଲା। ୧୪୧ରୁ କୌଣସି ନମୁନା ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନାହିଁ। ଏବେ ଯେଉଁ ନମୂନା ଆସିଛି ତା’ର ଜିନୋମ୍‌ ସିକ୍ୟୁଏନ୍ସିଂ ରିପୋର୍ଟ ଶୁକ୍ରବାର ଆସିବ ବୋଲି ସେ କହିଛନ୍ତି। ଓଡ଼ିଶାରେ ଏ ପର୍ଯ୍ୟନ୍ତ ଜଣେ ବି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ବେଳେ ୨୪୬ ବିଦେଶୀ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି।

ଅନ୍ୟପକ୍ଷେ ବିଦେଶରୁ ଫେରିଥିବା ୪୦ପ୍ରତିଶତଙ୍କ ଖବର ମିଳୁନାହିଁ। ଯାଞ୍ଚ ବେଳେ ବହୁ ଯାତ୍ରୀ ଭୁଲ୍‌ ଠିକଣା ଏପରିକି ବିଦେଶର ଠିକଣା ଦେଇଥିବାରୁ ଏଭଳି ସ୍ଥିତି ଉପୁଜିଛି। ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହି କହିଛନ୍ତି, ଓମିକ୍ରନ୍‌ ଚିହ୍ନଟ ରାଷ୍ଟ୍ରରୁ ୮୦୦ରୁ ଅଧିକ ଯାତ୍ରୀ ଓଡ଼ିଶାକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଅର୍ଥାତ ୩୨୦ଜଣଙ୍କ ପତ୍ତା ମିଳିନାହିଁ। ଏୟାର ସୁବିଧା ପୋର୍ଟାଲରେ ସେମାନେ ଭୁଲ୍‌ ଫୋନ ନମ୍ବର, ଭୁଲ ଠିକଣା ଦେଇଥିବା ଯୋଗୁ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନାହିଁ। ଏୟାର ସୁବିଧା ପୋର୍ଟାଲରେ ସେଲ୍ପ ଡିକ୍ଲାରେସନ ବ୍ୟବସ୍ଥା ଥିବାରୁ ଏମିତିକି ଅନେକ ଯାତ୍ରୀ ଅନ୍ୟ ରାଜ୍ୟର ଠିକଣା ମଧ୍ୟ ଦେଉଛନ୍ତି, ଯାହାକି ବିଦେଶ ଫେରନ୍ତାଙ୍କ ଟ୍ରେସିଂରେ ସମସ୍ୟା ସୃଷ୍ଟି କରୁଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେପଟେ ପତ୍ତା ମିଳୁ ନ ଥିବା ୪୦ ପ୍ରତିଶତ ଲୋକଙ୍କୁ ଖୋଜିବାକୁ ଚେଷ୍ଟା ଚାଲିଥିବାରୁ ଭୟଭୀତ କରିବାର କିଛି ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି।

Share