
ପେସାରେ ଡାକ୍ତର, କିନ୍ତୁ ସେ ରହୁଥିବା ଦକ୍ଷିଣ ଦିଲ୍ଲୀର ନବଜୀବନ ବିହାର କଲୋନିକୁ ବର୍ଜ୍ୟମୁକ୍ତ କରିପାରିଛନ୍ତି। ଏହି ମହିଳା ଡାକ୍ତର ଜଣକ ହେଉଛନ୍ତି ଡା. ରୁବି ମାଖିଜା। ସେହି କଲୋନିରେ ୨୮୦ ପରିବାର ରହୁଛନ୍ତି। ସେମାନେ ଘର ସାମ୍ନାରେ ବର୍ଜ୍ୟବସ୍ତୁ ଠୁଳକରି ରଖିବା ଯୋଗୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଥିଲା। ରୁବି ରେସିଡେନସିଆଲ ଓ୍ବେଲ୍ଫେୟାର ଆସୋସିଏଶନର ସମ୍ପାଦିକା ହେବା ପରେ ୬ ବର୍ଷର ନିରନ୍ତର ପ୍ରୟାସ ଯୋଗୁ କଲୋନିକୁ ଶୂନ୍ୟ ବର୍ଜ୍ୟର ସ୍ଥାନ କରିପାରିଛନ୍ତି। ରୁବି ପ୍ରତିଦିନ ସକାଳେ ତାଙ୍କ ଟିମ୍ ସହ ପ୍ରତି ଘରୁ ବର୍ଜ୍ୟ ସଂଗ୍ରହ କରିବା ପରେ ସେଗୁଡ଼ିକୁ ଶୁଖିଲା, ଓଦା ଓ ବିପଜ୍ଜନକ ବର୍ଜ୍ୟ ଭାବେ ଅଲଗା କରାଯାଏ। ରୁବି ଏହା ଆରମ୍ଭ କରିବା ବେଳେ ସହଯୋଗ ମିଳି ନ ଥିଲା। ପରେ କଲୋନିବାସୀଙ୍କୁ ବର୍ଜ୍ୟର ପ୍ରଭାବ ସମ୍ପର୍କରେ ଅବଗତକରି ସେମାନଙ୍କୁ ସାମିଲ କରିପାରିଥିଲେ। ଏବେ ପ୍ରତିଦିନ ୧୨୫ କେଜି ବର୍ଜ୍ୟକୁ ଖତ କରାଯାଉଛି। ଏହାବ୍ୟତୀତ ପ୍ଲାଷ୍ଟିକ୍, କାଚ ଓ କାଗଜ ବର୍ଜ୍ୟକୁ ରିସାଇକେଲ୍ ସେଣ୍ଟରକୁ ପଠାଯାଉଛି। ଏବେ ସୁଦ୍ଧା ୧୭ ଟନ୍ ପ୍ଲାଷ୍ଟିକ୍ ଏବଂ ୩ କୁଇଣ୍ଟାଲ ଇ-ବର୍ଜ୍ୟ ସଂଗ୍ରହ କରାଯାଇ ରିସାଇକେଲ କେନ୍ଦ୍ରକୁ ଯାଇସାରିଲାଣି। ରୁବି ଓ ତାଙ୍କ ଟିମ୍ ଟ୍ରିପୁଲ ଆର୍ ସେଣ୍ଟର ନାମକ ଏନ୍ଜିଓ ଗଠନକରି ଅସହାୟଙ୍କୁ ଲୁଗାପଟା, ବିଭିନ୍ନ ପ୍ରକାର ଫର୍ନିଚର ଓ ଗ୍ୟାସ୍ ସିଲିଣ୍ଡର ଦାନ କରିସାରିଲେଣି। କେବଳ ଏତିକି ନୁହେଁ, କଲୋନିର ସମସ୍ତେ ବର୍ଷାଜଳ ସଂରକ୍ଷଣ କରୁଛନ୍ତି।