
ଟଙ୍କା ଏଭଳି ଏକ ଜିନିଷ ଯାହା ବେଳେବେଳେ ଭାଇ ଭାଇଙ୍କ ମଧ୍ୟରେ ସାଙ୍ଗ ମଧ୍ୟରେ ଏମିତି କି ବାପା ପୁଅ ମଧ୍ୟରେ ବି ଝଗଡ଼ା ସୃଷ୍ଟି କରାଇ ଦିଏ। ହେଲେ ଆଜିର ସମାଜରେ ଏମିତି କେତେଜଣ ଭଦ୍ର ଓ ସଚ୍ଚୋଟପଣିଆର ବ୍ୟକ୍ତି ଅଛନ୍ତି ଯେଉଁମାନେ ଅନ୍ୟର ଅର୍ଥକୁ ପାଇଲେ ବି ଲୋଭ କରନ୍ତି ନାହିଁ ଓ ହଜାଇଥିବା ବ୍ୟକ୍ତିଙ୍କୁ ଖୋଜି ତାଙ୍କୁ ହସ୍ତାନ୍ତର କରନ୍ତି। ଠିକ୍ ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନ ଅଲୱର ଜିଲାର କିଶନଗଡ ଅଞ୍ଚଳରେ। ଏହି ଅଞ୍ଚଳର ମୋତିଲାଲ୍ ନାମକ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ସମୟରେ ଏକ ବ୍ୟାଗ୍ ପାଇଥିଲେ। ବ୍ୟାଗରେ କ’ଣ ଅଛି ଭାବି କୌତୂହଳରେ ତାକୁ ଖୋଲିବା ବେଳକୁ ସେ ପ୍ରଥମେ ଚମକି ପଡ଼ିଥିଲେ। କାରଣ ସେଥିରେ କେବଳ ବିଭିନ୍ନ ପ୍ରକାରର ସୁନା ଅଳଙ୍କାର ଭର୍ତ୍ତି ହୋଇ ରହିଥିଲା। ଏତେଗୁଡ଼ିଏ ସୁନା କାହାର ହଜିଥିବ ଭାବି ସେ ଭାରି ବ୍ୟସ୍ତ ହୋଇପଡ଼ିଲେ। ତେଣୁ ତୁରନ୍ତ ସେ ନିକଟସ୍ଥ ଥାନାକୁ ଯାଇ ଜମା କରିଥିଲେ। ସେହିଠାରେ କିଛି ସମୟ ରହିବା ଭିତରେ ଗହଣା ହଜାଇଥିବା ମାଲିକ ମଧ୍ୟ ପହଞ୍ଚି ଯାଇଥିଲେ। ଗହଣା ହଜିବା ନେଇ ଥାନାରେ ରିପୋର୍ଟ ଲେଖାଇବାକୁ ଯିବାବେଳେ ସେ ନିଜର ପର୍ସ ପାଇ ବହୁତ ଖୁସି ହୋଇଯାଇଥିଲେ। ପର୍ସ ଭିତରେ ପ୍ରାୟ ୧୨ ଲକ୍ଷ ଟଙ୍କାର ସୁନା ଗହଣା ରହିଥିଲା ଓ ଏତେ ସବୁ ସୁନା ଗହଣାକୁ ନେଇ ସେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିଲେ। ତେବେ ସୁନା ଗହଣାକୁ ଫେରି ପାଇଥିବାରୁ ସେ ମୋତିଲାଲ୍ଙ୍କର ଖୁବ୍ ପ୍ରଶଂସା କରିଥିଲେ। ପୋଲିସ ମଧ୍ୟ ତାଙ୍କୁ ମିଠା ଖୁଆଇ ତାଙ୍କ ସଚ୍ଚୋଟପଣିଆକୁ ଖୁବ୍ ପ୍ରଶଂସା କରିଥିଲା।