ଏଡିନବର୍ଗ, ୧୨ା୧:ପ୍ରାୟ ୨୦୦ ବର୍ଷ ତଳେ ପୃଥିବୀ ବାୟୁମଣ୍ଡଳରେ ସୂର୍ଯ୍ୟ ନୀଳରଙ୍ଗ ହେବାର ରହସ୍ୟ ଉପରୁ ବୈଜ୍ଞାନିକମାନେ ପରଦା ଉଠାଇଛନ୍ତି। ୧୮୩୧ ମସିହାରେ ହୋଇଥିବା ଏକ ଭୟଙ୍କର ଆଗ୍ନେୟଗିରି ଉଦ୍ଗିରଣ ଯୋଗୁ ସୂର୍ଯ୍ୟଙ୍କ ରଙ୍ଗରେ ପରିବର୍ତ୍ତନ ଘଟି ନୀଳରଙ୍ଗ ହୋଇଥିବା ନେଇ ଏକ ଅଧ୍ୟୟନରେ କୁହାଯାଇଛି। ଉକ୍ତ ଆଗ୍ନେୟଗିରି ଉଦ୍ଗିରଣ ଯୋଗୁ ବ୍ୟାପକ ମାତ୍ରାରେ ସଲ୍ଫର ଡାଇଅକ୍ସାଇଡ୍ ଗ୍ୟାସ୍ ବାୟୁମଣ୍ଡଳରେ ବ୍ୟାପି ଯାଇଥିଲା। ଏଣୁ ବୈଶ୍ୱିକ ସ୍ତରରେ ଶୀତର ପ୍ରଭାବ ବଢ଼ିଥିବା ସହ ପୃଥିବୀକୁ ଅଜବ ଜଳବାୟୁ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ଶନିବାର ଏନେଇ ଏକ ଅଧ୍ୟୟନ ପ୍ରୋସିଡିଙ୍ଗସ ଅଫ୍ ନ୍ୟାଶନାଲ ଏକାଡେମୀ ଅଫ୍ ସାଇନ୍ସେସ୍ (ପିଏନ୍ଏଏସ୍)ରେ ପ୍ରକାଶିତ ହୋଇଛି।
ସମ୍ପ୍ରତି ରୁଷିଆ ଓ ଜାପାନ ମଧ୍ୟରେ ବିବାଦୀୟ ଅଞ୍ଚଳ ଭାବେ ପରିଚିତ ଥିବା ସୁଦୂର ସିମୁଶୀର ଦ୍ୱୀପପୁଞ୍ଜର ଜାଭାରିଟସ୍କିଠାରେ ୧୮୩୧ ମସିହାରେ ଆଗ୍ନେୟଗିରି ଉଦ୍ଗିରଣ ଘଟିଥିଲା, ଯାହା ପୃଥିବୀର ଜଳବାୟୁ ଉପରେ ବ୍ୟାପକ ପ୍ରଭାବ ପକାଇଥିଲା। ସ୍କଟଲାଣ୍ଡର ସେଣ୍ଟ ଆଣ୍ଡ୍ର୍ୟୁଜ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ଅଧ୍ୟୟନରେ ୧୮୩୧ର ବରଫ ଖଣ୍ଡଗୁଡ଼ିକର ବିଶ୍ଳେଷଣ କରି ସିମୁଶୀର ଦ୍ୱୀପରେ ଆଗ୍ନେୟଗିରି ଉଦ୍ଗିରଣ ଦ୍ୱାରା ବୈଶ୍ୱିକ ଜଳବାୟୁ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା କହିଛନ୍ତି। ଏହି ଅଧ୍ୟୟନରେ ଉଚ୍ଚ ସାମୟିକ ରିଜୋଲ୍ୟୁଶନରେ ବରଫ ଖଣ୍ଡଗୁଡ଼ିକର ରସାୟନ ବିଜ୍ଞାନକୁ ବିଶ୍ଳେଷଣ କରାଯାଇଲା। ୧୮୩୧ର ବସନ୍ତ ଓ ଗ୍ରୀଷ୍ଣଋତୁରେ ଆଗ୍ନେୟଗିରି ଉଦ୍ଗିରଣ ହୋଇଥିବା ନେଇ ଉକ୍ତ ପରୀକ୍ଷଣରୁ ସେମାନେ ଅନୁମାନ କରିଛନ୍ତି। ଏହି ଉଦ୍ଗିରଣ ଅତ୍ୟଧିକ ବିସ୍ଫୋରକ ଥିଲା ବୋଲି ସେ କହିଛନ୍ତି।


