ଭୁବନେଶ୍ୱର,୯ା୪: ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଫରେନ୍ସିକ୍ ସାଇନ୍ସ ସର୍ଭିସ୍ରେ ୨୪୭ ପଦ ସୃଷ୍ଟି କରାଯାଇଥିବାବେଳେ ପବ୍ଲିକ ପ୍ରସିକ୍ୟୁଶନ ନିର୍ଦ୍ଦେଶାଳୟରେ ୨୬୭ ପଦ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମହାଲେଖାକାରଙ୍କୁ ମଙ୍ଗଳବାର ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ପତ୍ର ଅନୁଯାୟୀ, ରାଜ୍ୟପାଳଙ୍କ ଅନୁମୋଦନ ପରେ ରାଜ୍ୟ ଫରେନ୍ସିକ ସାଇନ୍ସ ସର୍ଭିସ୍ ସଙ୍ଗଠନରେ ୨୪୭ ପଦ ସୃଷ୍ଟି କରାଯାଇଛି।
ସେଥିମଧ୍ୟରେ ଗୋଟିଏ ଯୁଗ୍ମ ନିର୍ଦ୍ଦେଶକ ପଦ ରହିଥିବାବେଳେ ୨ଟି ଉପନିର୍ଦ୍ଦେଶକ, ୨୦ ସହନିର୍ଦ୍ଦେଶକ, ୬୫ ବରିଷ୍ଠ ସାଇନ୍ସ ଅଫିସର, ୭୧ ସାଇନ୍ସ ଅଫିସର, ୨୧ ବରିଷ୍ଠ ଫରେନ୍ସିକ ଆଟେଣ୍ଡାଣ୍ଟ ଓ ୬୭ କନିଷ୍ଠ ଫରେନ୍ସିକ ଆଟେଣ୍ଡାଣ୍ଟ ପଦ ରହିଛି। ସାହୁ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସରକାରଙ୍କ ନୀତି ଅନୁଯାୟୀ ସଂପୃକ୍ତ ପଦାଧିକାରୀ ନିୟମିତ ଭାବେ ଦରମା ଓ ଆନୁଷଙ୍ଗିକ ପ୍ରାପ୍ୟ ପାଇବେ।
ସେହିପରି ପବ୍ଲିକ୍ ପ୍ରସିକ୍ୟୁଶନ ନିର୍ଦ୍ଦେଶାଳୟରେ ୨୬୭ ପଦ ସୃଷ୍ଟି କରାଯାଇଛି। ସେଥିମଧ୍ୟରେ ୩୬ଟି ଉପନିର୍ଦ୍ଦେଶକ ପଦ ରହିଥିବାବେଳେ ୩ଟି ପବ୍ଲିକ୍ ପ୍ରସିକ୍ୟୁଟର, ୧୦୬ଟି ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର, ୯୧ଟି ସହ ପବ୍ଲିକ ପ୍ରସିକ୍ୟୁଟର ଏବଂ ୩୧ଟି କନିଷ୍ଠ ସହାୟକ ପଦ ରହିଛି। ଏହି ପଦ ପୂରଣ ବେଳେ ଓଆର୍ଭି-ଆଇନକୁ ଗୁରୁତ୍ୱ ଦେବାକୁ ସତ୍ୟବ୍ରତ ପତ୍ରରେ ଦର୍ଶାଇଛନ୍ତି।