ସାମ୍ରାଜ୍ୟବାଦର ଛାୟାଯୁଦ୍ଧ

ଡ. ମାନସ ବେହେରା

ରୁଷ-ୟୁକ୍ରେନ ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ବିଶ୍ୱ ରାଜନୈତିକ ଓ ରାଷ୍ଟ୍ର ବ୍ୟବସ୍ଥା ଏହାଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଯେଉଁମାନେ ଏହାକୁ ଏକ ଆଞ୍ଚଳିକ ଯୁଦ୍ଧ ବୋଲି ଆକଳନ କରି ଶୀଘ୍ର ସମାପ୍ତ ହେବ ବୋଲି ଭବିଷ୍ୟବାଣୀ ଶୁଣାଇଥିଲେ ସେମାନେ ଭୁଲ ବୋଲି ପ୍ରମାଣିତ ହୋଇଛନ୍ତି। ଏ ଯୁଦ୍ଧରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମାନେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସମ୍ପୃକ୍ତ। ଯେଉଁମାନେ ଏଥିରେ ଆମେରିକା ଓ ଅନ୍ୟ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସମ୍ପୃକ୍ତି ବିଷୟରେ ଦ୍ୱନ୍ଦ୍ୱରେ ଥିଲେ ତାହା ଆଜି ସ୍ପଷ୍ଟ। ବିଶ୍ୱ ରାଜନୀତି ଓ ଇତିହାସରେ ଏହା ଏକ ମୋଡ ଭାବରେ ପରିଗଣିତ ହୋଇଛି। ନବ୍ୟ ସାମ୍ରାଜ୍ୟବାଦର ନୂତନରୂପ ଏ ଯୁଦ୍ଧ ମାଧ୍ୟମରେ ପ୍ରକାଶ କରିଛି। ଆଜି ଆମେରିକା ଓ ରୁଷ ପ୍ରତ୍ୟକ୍ଷଭାବରେ ମୁହଁାମୁହିଁ। ବିଶ୍ୱ ସାମ୍ରାଜ୍ୟବାଦୀ ପଶାପାଲିରେ ୟୁକ୍ରେନ କେବଳ ଏକ ଛୋଟ ଗୋଟି। ଆମେରିକା ନେତୃତ୍ୱାଧୀନ ସାମ୍ରାଜ୍ୟବାଦୀ ବ୍ୟବସ୍ଥା ଆଜି ଅନେକ ଆହ୍ବାନର ସମ୍ମୁୁଖୀନ। ଆମେରିକାର ଏକଚାଟିଆ ପ୍ରାଧାନ୍ୟ ଆଗପରି ନାହିଁ। ଚାଇନା, ରୁଷିଆ, ଆଫ୍ରିକା, ଭାରତ, ବ୍ରାଜ଼ିଲ ସହ ଅନେକ ରାଷ୍ଟ୍ର ନୂଆ କ୍ଷମତା କେନ୍ଦ୍ରରେ ପରିଣତ ହେଉଛନ୍ତି। ଏହାକୁ ସହଜରେ ଆମେରିକା ଗ୍ରହଣ କରିପାରୁନାହିଁ। କାରଣ ବର୍ତ୍ତମାନ ନବ୍ୟଉଦାରବାଦୀ ଜଗତୀକରଣ ଅର୍ଥନୀତି ନବ୍ୟ ସାମ୍ରାଜ୍ୟବାଦର ଭିତ୍ତି। ଏହାପ୍ରତି ଆହ୍ବାନ ଅର୍ଥ ସାମ୍ରାଜ୍ୟବାଦ ପ୍ରତି ଆହ୍ବାନ। ଏହା ଏହି ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ। ସାମ୍ରାଜ୍ୟବାଦୀ ଶକ୍ତିମାନେ ନିଜର ଅର୍ଥନୈତିକ ଓ ରାଜନୈତିକ ଆଧିପତ୍ୟ ବଜାୟ ରଖିବାକୁ ଏ ଯୁଦ୍ଧରେ ୟୁକ୍ରେନ ପଛରେ ଛିଡା ହୋଇଛନ୍ତି। ସମଗ୍ର ୟୁରୋପରେ ଶକ୍ତିସଙ୍କଟ, ଆଫ୍ରିକାରେ ଖାଦ୍ୟସଙ୍କଟ ଆଦି ପରେ ବି ନାଟୋ ମେଣ୍ଟ ଯୁଦ୍ଧର ନିଅଁାରେ ଘିଅ ଢାଳୁଛି। ଏ ଯୁଦ୍ଧର ଗତିଶୀଳତାକୁ ବୁଝିବାକୁ ହେଲେ ଏ ପୃଷ୍ଠଭୂମିକୁ ବୁଝିବାକୁ ପଡିବ।
ଏ ଯୁଦ୍ଧର କାରଣ କ’ଣ? ଏହା ହିଁ ଜନଗଣଙ୍କ ମନରେ ପ୍ରଶ୍ନ। ଏ ସମ୍ପର୍କରେ ମୁଖ୍ୟତଃ ଦୁଇଟି ଉପାଖ୍ୟାନ ଉପସ୍ଥାପିତ ହୋଇଛି। ସାମ୍ରାଜ୍ୟବାଦୀ ଶକ୍ତିମାନେ ରୁଷକୁ ଦାୟୀକରି ଏହାର ବିସ୍ତାରବାଦୀ ନୀତିକୁ ଯୁଦ୍ଧର କାରଣ ବୋଲି ଦର୍ଶାଇଥାନ୍ତି। କିନ୍ତୁ ବାସ୍ତବରେ ନାଟୋର ବିସ୍ତାରବାଦୀ ନୀତି ହିଁ ଯୁଦ୍ଧର ମୁଖ୍ୟ କାରଣ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଶୀତଳଯୁଦ୍ଧରୁ ନାଟୋ ଓ ୱାର୍ଶା ମେଣ୍ଟର ସୃଷ୍ଟି। ଶୀତଳଯୁଦ୍ଧର ଅବସାନ ପରେ ଉଭୟ ପ୍ରାସଙ୍ଗିକତା ହରାଇବା କଥା। ମୂଳ କାରଣ ଗଲା ପରେ ଓ ବିଶ୍ୱ ଆମେରିକାର ଏକଚାଟିଆ ବ୍ୟବସ୍ଥା ହେଲା ପରେ ନାଟୋ ପରି ସାମରିକ ମେଣ୍ଟର ଆଉ ଆବଶ୍ୟକତା କ’ଣ ବୋଲି ପ୍ରଶ୍ନ ଉଠିଲା। କିନ୍ତୁ ଯେଉଁମାନେ ସାମ୍ରାଜ୍ୟବାଦର ଚରିତ୍ରକୁ ଜାଣିଛନ୍ତି ସେମାନେ ବୁଝିଛନ୍ତି ଯେ ସାମରିକବାଦ ସାମ୍ରାଜ୍ୟବାଦର ମୌଳିକ ଚରିତ୍ରର ଅଂଶବିଶେଷ। ଆମେରିକାର ଦୋମୁଁହା ନୀତି ବିଶ୍ୱବାସୀଙ୍କ ଆଗରେ ଧରାପଡ଼ିଯାଇଛି। ଗଣତନ୍ତ୍ର, ଶାନ୍ତି ଓ ସହଯୋଗର ବାର୍ତ୍ତା ଦେଉଥିଲା ବେଳେ ନାଟୋକୁ କାହିଁକି ରଖାଯାଇଛି ତାର ଠିକ୍‌ ଉତ୍ତର ଆମେରିକା ଦେଉନାହିଁ। ନାଟୋ ଅଧୁନା ନବ୍ୟସାମ୍ରାଜ୍ୟବାଦର ମୁଖ୍ୟ ହତିଆର। ଏହା ହିଁ ରୁଷ-ୟୁକ୍ରେନ ଯୁଦ୍ଧର ମୁଖ୍ୟ କାରଣ।
ରୁଷ ଖଣ୍ଡବିଖଣ୍ଡିତ ହେଲା ପରେ ରାଜିନାମା ଅନୁଯାୟୀ ୟୁକ୍ରେନ ନାଟୋ ମେଣ୍ଟଭୁକ୍ତ ହେବନାହିଁ ଓ ରୁଷ ଏହାର ସାର୍ବଭୌମତ୍ୱକୁ ସମ୍ମାନଦେବ। ରୁଷ ସପକ୍ଷବାଦୀ ଶାସକମାନେ ୟୁକ୍ରେନରେ ଥିଲାବେଳେ ନାଟୋମେଣ୍ଟଭୁକ୍ତ ହେବା ପ୍ରସଙ୍ଗ ଏତେ ତୀବ୍ର ନ ଥିଲା। ବର୍ତ୍ତମାନର ରାଷ୍ଟ୍ରପତି ଜେଲନେସ୍କି ଆମେରିକା ସପକ୍ଷରେ ଓ ୟୁକ୍ରେନ ନାଟୋ ମେଣ୍ଟଭୁକ୍ତ ହେବା ଚାହଁୁଛନ୍ତି। ଏହାହିଁ ଯୁଦ୍ଧର ବି ଏକ କାରଣ। ଆମେରିକା ଏହାର ଫାଇଦା ନେଇ ନିଜର ସାମ୍ରାଜ୍ୟବାଦୀ ବିସ୍ତାର ନୀତି କାର୍ଯ୍ୟକାରୀ କରିବାକୁ ଚାହୁଁଛି। ଏହାର ପ୍ରାଧାନ୍ୟ ପ୍ରତି ଚାଇନା ପଟୁ ମୁଖ୍ୟ ଆହ୍ବାନ ଥିଲାବେଳେ ସେ ରୁଷକୁ ନିୟନ୍ତ୍ରଣକୁ ଆଣି ବିଶ୍ୱରେ ଏକ ବାର୍ତ୍ତା ଦେବାକୁ ଚାଁହୁଛି ଯେ ସବୁ ଠିକ୍‌ଠାକ ଅଛି ଓ ଆମେରିକା ଏବେ ବି ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଏବଂ ଏହା କଥାରେ ବିଶ୍ୱ ପରିଚାଳିତ।
ଆମେରିକା ଓ ନାଟୋ ସଦସ୍ୟ ରାଷ୍ଟ୍ରମାନେ ଯୁଦ୍ଧର ଅବସାନ ପାଇଁ କୌଣସି କୂଟନୈତକ ଉଦ୍ୟମ ନ କରି ୟୁକ୍ରେନକୁ ସାମରିକ ଓ ଆର୍ଥିକ ସହାୟତା ଦେଇ ଚାଲିଛନ୍ତି। ବର୍ତ୍ତମାନ ଅସ୍ତ୍ର ବ୍ୟବସାୟ ମାନ୍ଦା ଥିଲାବେଳେ ଏ ଯୁଦ୍ଧ ସାମ୍ରାଜ୍ୟବାଦୀ ଅସ୍ତ୍ର ବ୍ୟବସାୟକୁ ସୁଯୋଗ ଦେଇଛି। ଯୁଦ୍ଧ ଚଳାଇ ରଖିବା ପଛରେଏହା ଅନ୍ୟତମ କାରଣ। ସଙ୍କଟଗ୍ରସ୍ତ ପୁଞ୍ଜିବାଦୀ ଅର୍ଥନୀତି ନିଜକୁ ସାମାନ୍ୟ ଉଦ୍ଧାର କରିବା ପାଇଁ ଯୁଦ୍ଧକୁ ବ୍ୟବହାର କରୁଛି। ଆମେରିକା ଓ ନାଟୋ ଜାତିସଂଘକୁ ଅକର୍ମଣ୍ୟ କରିସାରିଛନ୍ତି। ଯୁଦ୍ଧର ଅବସାନ ପାଇଁ ଏହାର ସଦୁପଯୋଗ ନ କରି ରୁଷ ବିରୋଧରେ ପ୍ରସ୍ତାବ ଆଗତ କରି ନବ୍ୟଶୀତଳଯୁଦ୍ଧକୁ ତ୍ୱରାନ୍ବିତ କରିଛନ୍ତି। ବିଶ୍ୱ ଏକ ବହୁପାକ୍ଷିକ ରୂପ ନେବାକୁ ଯାଉଥିଲାବେଳେ ଆମେରିକା ଏ ଯୁଦ୍ଧ ମାଧ୍ୟମରେ ପୁଣିଥରେ ଶୀତଳଯୁଦ୍ଧ ସମୟର ବିଭାଜିତ ବିଶ୍ୱକୁ ଲଦିଦେବାକୁ ଯାଉଛନ୍ତି। ଯୁଦ୍ଧ ଅପରାଧରେ ରୁଷକୁ ଅପରାଧୀ ସଜାଇ ଆନ୍ତର୍ଜାତିକ ନ୍ୟାୟାଳୟରେ ବିଚାର କରିବାକୁ ଆମେରିକା ଉଦ୍ୟମ କରୁଛି। ଏହା ଯୁଦ୍ଧରଏକ ନୂଆ ଦିଗ। ଚାଇନା ଓ ରୁଷ ଅଧିକ ନିକଟତର ହେଲେ ସାମ୍ରାଜ୍ୟବାଦୀ ବ୍ୟବସ୍ଥା ଦୋହଲିଯାଉଛି।
ଏ ଯୁଦ୍ଧର ପ୍ରଭାବ ସୁଦୂରପ୍ରସାରୀ, କିନ୍ତୁ ମାନବୀୟ କ୍ଷତିକୁ ବିଚାରକୁ ନ ନେଇ ଆମେରିକା ଯୁଦ୍ଧକୁ ପ୍ରୋତ୍ସାହିତ କରିଚାଲୁଛି। ସାମ୍ରାଜ୍ୟବାଦର ଛାୟାଯୁଦ୍ଧର ଏହା ଏକ ପରିଣାମ I ଆଜି ଏ ଯୁଦ୍ଧ ନାଟୋର ଅସ୍ତିତ୍ୱର ଲଢେଇରେ ପରିଣତ ହୋଇଛି। ୟୁକ୍ରେନର ନାଟୋ ସହଯୋଗୀମାନେ ସମସ୍ବରରେ ରୁଷକୁ ସମାଲୋଚନା କରିଛନ୍ତି। ଏହାକୁ ଆଳ କରି ୟୁକ୍ରେନକୁ ଅଧିକ ସାମରିକ ସହଯୋଗର ଦାବି ତୀବ୍ର ହୋଇଛି। ଅର୍ଥାତ୍‌ ଯୁଦ୍ଧ ସମାପ୍ତ ହେବାର ସମ୍ଭାବନା ଏବେ ନାହିଁ। ୟୁକ୍ରେନ ନିୟନ୍ତ୍ରଣରେ ଏ ଯୁଦ୍ଧ ଆଉ ନାହିଁ। ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କର ନିରାପତ୍ତା ବ୍ୟବସ୍ଥା ସେମାନଙ୍କ ଭୌଗୋଳିକ ସୀମା ମଧ୍ୟରେ ସୀମିତ ନୁହେଁ। ସେମାନେ ତାଙ୍କର ପ୍ରଭାବ ଅନ୍ୟ ଅଞ୍ଚଳରେ ବଜାୟ ରଖିଥାନ୍ତି ଓ ଏହାପ୍ରତି ଆହ୍ବାନ ସୃଷ୍ଟି ହେଲେ ଯୁଦ୍ଧ ସୃଷ୍ଟି ହୁଏ। ରୁଷ-ୟୁକ୍ରେନ ଯୁଦ୍ଧ ଏଥିପାଇଁ ସୃଷ୍ଟି। ଯେଉଁମାନେ ଏ ଯୁଦ୍ଧରେ ରୁଷ ଓ ଆମେରିକାକୁ ସମାନ ଭାବରେ ବିଚାର କରୁଛନ୍ତି ଓ ଉଭୟଙ୍କୁ ସମାନ ଭାବରେ ଦାୟୀ କରୁଛନ୍ତି ସେମାନେ ସାମ୍ରାଜ୍ୟବାଦର ମୌଳିକ ଚରିତ୍ରକୁ ଅଣଦେଖା କରୁଛନ୍ତି।
ବିଶ୍ୱ ଆଜି ଜଳବାୟୁ ସଙ୍କଟ, ଦାରିଦ୍ର୍ୟ, ଅସମାନତା, ଶୋଷଣ, ଫାସିବାଦର ସମସ୍ୟାରେ ଜର୍ଜରିତ ଥିଲାବେଳେ ଓ ଏହାକୁ ମୁକାବିଲା କରିବାରେ ନବ୍ୟଉଦାରବାଦୀ ଜଗତୀକରଣ ବିଫଳ ହୋଇଥିଲାବେଳେ ଆଉ ଏକ ଯୁଦ୍ଧକୁ ଜନସାଧାରଣଙ୍କ ଉପରେ ଲଦି ଦିଆଯାଇଛି। ଏହା ସମଗ୍ର ବିଶ୍ୱର ଶାନ୍ତି ଓ ସ୍ଥିରତା ପାଇଁ ବିପଦ। କିନ୍ତୁ ସାମ୍ରାଜ୍ୟବାଦୀ ବ୍ୟବସ୍ଥାରେ ପରିବର୍ତ୍ତନ ଆଶାକରିବା ବୃଥା। ସାମ୍ରାଜ୍ୟବାଦୀ ବିରୋଧରେ ସଂଗ୍ରାମ ତୀବ୍ରତର ହେଲେ ଓ ଯୁଦ୍ଧ ବିରୋଧରେ ଜନମତ ସୃଷ୍ଟି ହେଲେ ଚାପ ସୃଷ୍ଟିହେବ। ବିଶ୍ୱ ରାଜନୈତିକ ବ୍ୟବସ୍ଥା ବହୁପାକ୍ଷିକ ହେବା ଜରୁରୀ। ଏହାଦ୍ୱାରା ସାମ୍ରାଜ୍ୟବାଦ ଦୁର୍ବଳ ହେବ।
ମୋ: ୮୭୬୩୯୯୧୭୭୯


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri