ପ୍ରବାସୀ ପୁଣି ଗାଁ ମୁହାଁ

ମୁମ୍ବାଇ/ନୂଆଦିଲ୍ଲୀ,୧୦ା୧: ଛଳଛଳ ଆଖି, ଅବଶ ପାଦ। ଲକ୍‌ଡାଉନ୍‌ ଜାରି ହେଲେ ଜୀବିକା ହରାଇବାର ଭୟ। କେବଳ ଜୀବିକା ନୁହେଁ, ସଂକ୍ରମିତ ହୋଇ ଜୀବନ ଯିବାର ଆଶଙ୍କା ବି କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଛି। ଏଥିଲାଗି ଜାତୀୟ ରାଜଧାନୀ ଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବାଇ ସମେତ ବଡ଼ ସହରଗୁଡ଼ିକର ଷ୍ଟେଶନରେ ଲାଗିଛି ପ୍ରବାସୀ ଶ୍ରମିକଙ୍କ ଭିଡ଼। ସେମାନେ ଯେମିତି ବି ହେଉ ଗାଁକୁ ଫେରିଯିବାକୁ ବ୍ୟାକୁଳ। ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଏବେ ଆଙ୍କିଛି ଏଭଳି ବିକଳ ଚିତ୍ର। ମହାମାରୀର ଲେଉଟାଣି ସହ ତୃତୀୟ ଲହର ଆଶଙ୍କା ଯୋଗୁ ବିଭିନ୍ନ ରାଜ୍ୟରେ କଟକଣା ଲାଗୁ ହେବା ପରେ ପୁଣି ଦେଖିବାକୁ ମିଳିଲାଣି ଦେଢ଼ବର୍ଷ ତଳର ସେହି ଦୃଶ୍ୟ।
୨୦୨୦ ମାର୍ଚ୍ଚ ୨୪ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍‌ ଘୋଷଣା କରିଥିଲେ ୨୧ ଦିନିଆ ଜାତୀୟ ଲକ୍‌ଡାଉନ୍‌। ହୁ ହୁ ହୋଇ ବଢ଼ୁଥିବା କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ ସେତେବେଳେ ନିଆଯାଇଥିବା ଏହି ପଦକ୍ଷେପ ୧୩୮ କୋଟି ଭାରତୀୟଙ୍କ ଗତିବିଧିରେ ବ୍ରେକ୍‌ ଲଗାଇଦେଇଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ପର୍ଯ୍ୟାୟରେ ତାଲାବନ୍ଦ ଅବଧିକୁ ବଢ଼ାଯାଇଥିଲା। ସରକାରୀ କଟକଣା ଯୋଗୁ କଳକାରଖାନା ଓ କାର୍ଯ୍ୟସ୍ଥଳଗୁଡ଼ିକରେ ତାଲା ଝୁଲିବା ପରେ କୋଟି କୋଟି ପ୍ରବାସୀ ଶ୍ରମିକ ଜୀବିକା ହରାଇଥିଲେ। ମୁମ୍ବାଇ ଓ ଦିଲ୍ଲୀ ସମେତ ଅନ୍ୟ ସହରଗୁଡ଼ିକରେ ଆୟର ପନ୍ଥା ନ ପାଇ ଖାଦ୍ୟ ସଙ୍କଟ ଭିତରେ ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇଯାଇଥିଲେ ଶ୍ରମିକ ଓ ସେମାନଙ୍କ ପରିବାର। ସରକାର ସେମାନଙ୍କୁ ଜରୁରୀ ସାମଗ୍ରୀ ଯୋଗାଇବା ପ୍ରତିଶ୍ରୁତି ଦେଇଥିଲେ ହେଁ ବଣ୍ଟନ ବ୍ୟବସ୍ଥା ଭୁଶୁଡ଼ିପଡ଼ିଥିବାରୁ ଅତି ଦୟନୀୟ ଭାବେ କାଳାତିପାତ କରିଥିଲେ। ହାତରେ କାମ ନାହିଁ କି ପକେଟରେ ଟଙ୍କା ନାହିଁ। ଏଭଳି ଅବସ୍ଥା ପ୍ରବାସୀଙ୍କୁ ବାଧ୍ୟ କରିଥିଲା ନିଜ ନିଜ ଗଁାକୁ ଫେରିଯିବା ପାଇଁ। ବହୁସଂଖ୍ୟକ ଶ୍ରମିକ ଶତାଧିକ କିଲୋମିଟର ଚାଲି ଚାଲି ଯାଇଥିବାବେଳେ ଅନେକେ ସାଇକେଲରେ ଘରକୁ ଫେରିଥିଲେ। ଫେରିବାବେଳେ କିଏ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଗିରଫ ହୋଇଥିଲେ ତ କେହି କେହି ବାଟରେ ପ୍ରାଣ ହରାଇଥିଲେ। ବିକଳରେ ଗଣପଳାୟନର ଏହି ହୃଦୟ ବିଦାରକ ଦୃଶ୍ୟ ସେତେବେଳେ ସମସ୍ତଙ୍କୁ ବ୍ୟଥିତ କରିଥିଲା। ପଳାୟନକାରୀ ଓ ମୃତକଙ୍କ ସଂଖ୍ୟାର ହିସାବ କିନ୍ତୁ ସରକାରଙ୍କ ପାଖରେ ନ ଥିଲା।
ଏବେ ଓମିକ୍ରନ୍‌ ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ ପୁଣି ସେହି ଦୃଶ୍ୟ ଦେଖିବାକୁ ମିଳିଛି। ରବିବାର ଦେଶରେ ୧୫୯,୬୩୨ ନୂଆ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ୨୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫୫୨ ଓମିକ୍ରନ୍‌ ସଂକ୍ରମିତଙ୍କ ସହ ଦକ୍ଷିଣ ଆଫ୍ରିକୀୟ ନୂଆ ଭାରିଆଣ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୬୨୩ରେ ପହଞ୍ଚତ୍ଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଦେଶର କୋଭିଡ୍‌ ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମଧ୍ୟ ସ୍ଥିତି ସମୀକ୍ଷା କରିଛନ୍ତି। ସୋମବାର ପୁନଃ ସମୀକ୍ଷା ପରେ ଲକ୍‌ଡାଉନ୍‌ ଜାରି କରାଯିବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାର ଲକ୍‌ଡାଉନ୍‌ ଜାରି କରି ନ ଥିଲେ ହେଁ ଲକ୍‌ଡାଉନ୍‌ ଭଳି କଟକଣା ଲଗାଇଛନ୍ତି। ଏହି ସବୁ କଟକଣା ଦିଲ୍ଲୀବାସୀ ଓ ମୁମ୍ବାଇବାସୀଙ୍କ ମନରେ ଭୟ ସୃଷ୍ଟି କରିଛି। ବିଶେଷକରି ବାହାରୁ ଆସି ସେଠାରେ ମୂଲ ଲାଗୁଥିବା ଲୋକେ ବେଶି ଆତଙ୍କିତ ହୋଇପଡ଼ିଛନ୍ତି। ଯେଉଁମାନେ ପୂର୍ବ ଲକ୍‌ଡାଉନ୍‌କୁ ଅଙ୍ଗେ ନିଭାଇଛନ୍ତି ସେମାନେ ଏବେ ନିଜ ଗଁାକୁ ଫେରିବା ପାଇଁ ବାହାରିଛନ୍ତି। ଉତ୍ତର ପ୍ରଦେଶର ହେମନ୍ତ ମୌର୍ଯ୍ୟ ଦିଲ୍ଲୀରୁ ଗତ ୬ ତାରିଖରେ ଘରକୁ ଫେରିଯାଇଛନ୍ତି। ଗତଥର ଭଳି ଅବସ୍ଥା ନ ଭୋଗିବା ପାଇଁ ସେ ଫେରିଯାଇଥିବା କହିଛନ୍ତି। କେବଳ ହେମନ୍ତ ନୁହନ୍ତି, ୟୁପିର ଗୋଣ୍ଡା ଜିଲା ବାସିନ୍ଦା ୩୩ ବର୍ଷୀୟ ରାଜୁ ମଧ୍ୟ ଅର୍ଥାଭାବରେ ପିଲାଛୁଆଙ୍କୁ ଧରି ଗଁାକୁ ଫେରିଛନ୍ତି। କର୍ଫ୍ୟୁ ଅବଧି ନ ବଢ଼ିଲେ ଦିଲ୍ଲୀକୁ କାମ କରିବା ପାଇଁ ଯିବେ ବୋଲି ସେ କହିଛନ୍ତି। ବିହାରର ମୋତିହାରି ବାସିନ୍ଦା ଅଶୋକ ତିଓ୍ବାରୀ ଦିଲ୍ଲୀରେ ଅଟୋ ଚଳାଉଥିଲେ। ସେ ବି ଲକ୍‌ଡାଉନ୍‌ ଭୟରେ ଅଟୋରେ ପରିବାର ଧରି ଫେରିଗଲେ। ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ଲାଗିବ ବୋଲି ଗୁଜବ ସୃଷ୍ଟି ହେଉଥିବାରୁ ଲୁଗା ଓ ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରିଗୁଡ଼ିକରେ କାମ କରୁଥିବା ୟୁପି ଏବଂ ବିହାରର ବହୁସଂଖ୍ୟକ ଶ୍ରମିକ ନିଜ ରାଜ୍ୟକୁ ଫେରିଗଲେଣି। ମୁମ୍ବାଇର ଏକ କାରଖାନାରେ ପୁଅ କାମ କରୁଥିବାରୁ ବିହାରର ଅରଓ୍ବାଲ ଜିଲା ରାମପୁର ନିବାସୀ ଦୟାମୁନି ଦେବୀ କହିଛନ୍ତି, ଆଉ ଥରେ ଲକ୍‌ଡାଉନ୍‌ ନ ହେଉ। ପୁଅ ଭଲରେ ଥାଉ। ମୁଁ ବୋହୂ ଖୋଜୁଛି।

ଭାରତରେ ଲକ୍‌ଡାଉନ୍‌

ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଏପ୍ରିଲ୍‌ ୧୪ରେ ଶେଷ ହୋଇଥିବାବେଳେ ୧୫ ତାରିଖରୁ ମେ’ ୩ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ସେହିପରି ମେ’ ୪ରୁ ୧୭ ତାରିଖ ତୃତୀୟ ଓ ମେ’ ୧୮ରୁ ୩୧ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ୨୦୨୦ରେ ସମୁଦାୟ ୬୮ ଦିନ ଲକ୍‌ଡାଉନ୍‌ ରହିଥିଲା। ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଅନେକ ପର୍ଯ୍ୟାୟରେ ଅନ୍‌ଲକ୍‌ କରାଯାଇଥିଲା। ୨୦୨୧ରେ ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ ଭୟାବହ ରୂପ ଧାରଣ କରିଥିବାବେଳେ ଫେବୃୟାରୀ ଶେଷରୁ ଜୁନ୍‌ ୧୫ ମଧ୍ୟରେ ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଲକ୍‌ଡାଉନ୍‌ ଜାରି କରିଥିଲେ। ଫଳରେ ଆର୍ଥିକ ଗତିବିଧି ବହୁଳ ଭାବେ ପ୍ରଭାବିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଆମେରିକାରେ ରହଣି ସମୟରେ ସନ୍ତାନ ଜନ୍ମ କଲେ ଭିସା ବାତିଲ, ପ୍ରଭାବିତ ହେବେ ଅନେକ ଭାରତୀୟ

ନୂଆଦିଲ୍ଲୀ,୧୧ା୧୨: ଆମେରିକାରେ ନାଗରିକତ୍ୱ ହାସଲ କରିବା ପାଇଁ ‘ଜନ୍ମ ପର୍ଯ୍ୟଟନ’କୁ ବନ୍ଦ କରିବା ଲକ୍ଷ୍ୟରେ ଆମେରିକା ଭିସା ନିୟମକୁ କଡ଼ାକଡ଼ି କରିଛି। ଭାରତରେ ଥିବା ଆମେରିକା...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଟାରିଫ୍ ଧମକ ପରେ ଟ୍ରମ୍ପଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଏସବୁ କଥା

ନୂଆଦିଲ୍ଲୀ,୧୧।୧୨: ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri