କଳାହାଣ୍ଡି,୨୬।୯: ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ଏବଂ ଡିପ୍ରେସନ ସୃଷ୍ଟି ହେବ ଯେଉଁଥିପାଇଁ କଳାହାଣ୍ଡି ଜିଲ୍ଲା ପାଇଁ ରେଡ ଆଲର୍ଟ ଘୋଷଣା କରାଯାଇଛି। ତେଣୁ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ସହିତ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ କଳାହାଣ୍ଡି ଜିଲାର ସମସ୍ତ ସରକାରୀ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲାପାଳ ।
ଏହା ବ୍ୟତୀତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଜିଲ୍ଲାପାଳଙ୍କ ଅନୁମତି ବିନା ୨୮ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ମୁଖ୍ୟାଳୟ ଛାଡି ନ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ।
ସୂଚନା ଯୋଗ୍ୟ ଯେ ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ଲଘୁଚାପ ପ୍ରଭାବରେ ୩ ଟି ଜିଲ୍ଲା ଯଥା- କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡି ବିଶେଷ ପ୍ରଭାବିତ ହେବାର ଆଶଙ୍କା ଥିବାବେଳେ ୧୪ ଟି ଜିଲ୍ଲା ଯଥା- ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, ରାୟଗଡା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡାକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ବର୍ଷାକୁ ନଜରରେ ରଖି ଏହାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।