ବାଣପୁର,୧୩।୨(ଦିଲ୍ଲୀପ କୁମାର ସ୍ବାଇଁ ): ବାଣପୁର ତହସିଲ ଅଞ୍ଚଳର ବିଭିନ୍ନ ରାଜସ୍ବ ଗ୍ରାମରେ ମାତିଛନ୍ତି ଇଟା ମାଫିଆ। ଲୁଟୁଛନ୍ତି ଶତାଧିକ ଏକର ଗୋଚର, ଅନାବାଦୀ ଜମି, ନଦୀପଠା ଓ ରାଜସ୍ବ ଜମି। କୁମାରାଙ୍ଗ, ବିଷ୍ଟୁଗାଲୁଆ, ନରେନ୍ଦ୍ରପୁର, ନନ୍ଦପୁର ପଞ୍ଚାୟତ ସମେତ ଗମ୍ଭାରୀମୁଣ୍ଡା ପଞ୍ଚାୟତର କରଡାପଲ୍ଲୀ, ଗୋଡ଼ିଝର, ହଜ, କାଲୁଣିଆରି, ମତପୋଖରା ରୋଡ୍ରେ ମାଳମାଳ ବେଆଇନ ଇଟାଭାଟି ଗଢିଉଠିଛି। ପ୍ରଶାସନର କାର୍ଯ୍ୟାନୁଷ୍ଠାନ ହେଉଥିଲେ ମଧ୍ୟ ପୁନର୍ବାର ମାଲିକମାନେ ଇଟାଭାଟି ନିର୍ମାଣ କରୁଥିବାରୁ କାର୍ଯ୍ୟାନୁଷ୍ଠାନ ନେଇ ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ପ୍ରକାଶ ପାଉଛି।
ଇଟାଭାଟି ଦ୍ୱାରା ପରିବେଶ ପ୍ରଦୂଷଣ ହେବା ସହ ତାପମାତ୍ରା ବୃଦ୍ଧି ପାଇ ପରିବେଶ ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ଇଟାଭାଟିର ଧୂଅଁାରେ ଗ୍ରାମବାସୀ ଅଣନିଃଶ୍ୱାସୀ ହୋଇ ପଡୁଥିବାବେଳେ ବିଭିନ୍ନ ଶ୍ୱାସ ଏବଂ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସମ୍ପ୍ରତି ମାଘ ମାସ ନ ସରୁଣୁ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ତେବେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ କେବଳ କିଛି ଟଙ୍କାର ଜରିମାନା ଆଦାୟ କରି ଚୁପ ରହି ଯାଉଥିବାରୁ ଏହା ଇଟାଭାଟି ମାଲିକଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି। ଗୋଟିଏ ପଟେ ସରକାର ପରିବେଶ ପ୍ରଦୂଷଣ ରୋକିବାକୁ ବିଭିନ୍ନ ଆଇନକୁ କଡ଼ାକଡ଼ି କରୁଥିବାବେଳେ ଅନ୍ୟପଟେ ଇଟାଭାଟିଗୁଡ଼ିକ ପ୍ରଦୂଷଣ ବଢ଼ାଉଛି। ସରକାରୀ ନିୟମ ମୁତାବକ, ଇଟା ପୋଡ଼ିବା ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡର ଅନୁମତି ସହ ସ୍ଥାନୀୟ ତହସିଲଦାର ଏବଂ ରାଜସ୍ବ ନିରୀକ୍ଷକଙ୍କ ଅନୁମତି ନିହାତି ଜରୁରୀ। ମାତ୍ର କୌଣସି ଇଟାଭାଟିର ଅନୁମତି ନ ଥିବାବେଳେ ଇଟା ଭାଟି ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୃଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପ୍ରଶାସନ କେବଳ କିଛି ଜରିମାନା ଆଦାୟ କରୁଥିବାରୁ ବ୍ୟାପକ ରାଜସ୍ବ ହରିଲୁଟ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ଭାଟିରେ ନିୟୋଜିତ ଶ୍ରମିକଙ୍କ ପାଇଁ ମଧ୍ୟ କୌଣସି ନିର୍ଦ୍ଦେଶନାମା ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶରେ ସେମାନେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ବାଣପୁର ଏବଂ ଆଖପାଖ ଅଞ୍ଚଳରେ ତାପମାତ୍ରା ୩୦ ଡିଗ୍ରୀକୁ ବୃଦ୍ଧି ପାଇଥିବାବେଳେ ଚୈତ୍ର ଓ ବୈଶାଖରେ ତାପମାତ୍ରା ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେବେ ଇଟାଭାଟି ଯୋଗୁ ତାପମାତ୍ରା ଅହେତୁକ ବୃଦ୍ଧି ପାଇବ ବୋଲି ପରିବେଶବିତ୍ମାନେ ସନ୍ଦେହ ପ୍ରକାଶ କରିବା ସହ ସ୍ଥାନୀୟ ପ୍ରଶାସନ ଓ ଇଟାଭାଟି ମାଲିକ ଏଥିପ୍ରତି ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବେ ବୋଲି କହିଛନ୍ତି। ଏନେଇ ତହସିଲଦାର ପି. ପଦ୍ମନାଭ ଦୋରାଙ୍କୁ ପଚାରିବାରେ, ତୁରନ୍ତ ଇଟାଭାଟିଗୁଡ଼ିକ ଉପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଦୃଢ କାର୍ଯ୍ୟାନୃଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

