ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ ବିବାହକୁ ନେଇ ସେ ପୁଣି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଅଭୟ ଏରୋସ୍ପେସ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ଛଅ ଅଙ୍କ ବିଶିଷ୍ଟ ଦରମା ପ୍ୟାକେଜ ପରିତ୍ୟାଗ କରି ତପସ୍ବୀ ପଥ ଗ୍ରହଣ କରିଥିଲେ। ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନିକଟରେ ସେ ତାଙ୍କ ପତ୍ନୀ ପ୍ରତୀକାଙ୍କ ସହିତ ତାଙ୍କ ପୈତୃକ ଗ୍ରାମ ସସରୋଲି (ଝାଜ୍ଜର)ରେ ପହଞ୍ଚିଥିଲେ। ଏବେ ସେ ସେମାନଙ୍କ ବିବାହ ପରେ ଭବିଷ୍ୟତ ପାଇଁ ତାଙ୍କର ଯୋଜନା ପ୍ରକାଶ କରିଥିଲେ।
ହରିୟାଣାର ଝାଜ୍ଜରର ବାସିନ୍ଦା ଅଭୟ ସିଂହ କହିଛନ୍ତି, ପ୍ରତିକା କର୍ନାଟକର ମାଙ୍ଗାଲୁରୁର ଜଣେ ଇଞ୍ଜିନିୟର। ସେ ତାଙ୍କୁ ସଦଗୁରୁଙ୍କ ଆଶ୍ରମ (ଆଦିଯୋଗୀ, କୋଏମ୍ବାଟୁର)ରେ ଭେଟିଥିଲେ। ସେମାନଙ୍କର ସମାନ ଚିନ୍ତାଧାରା ଏବଂ ଆଧ୍ୟାତ୍ମିକତା ପ୍ରତି ପାରସ୍ପରିକ ଆଗ୍ରହ ସେମାନଙ୍କୁ ଏକାଠି କରିଥିଲା। ଚଳିତ ବର୍ଷ ଫେବୃଆରୀ ୧୫ରେ, ହିମାଚଳ ପ୍ରଦେଶର ଧର୍ମଶାଳାର ଐତିହାସିକ ଆଘନଝର ମହାଦେବ ମନ୍ଦିରରେ ଧାର୍ମିକ ରୀତିନୀତି ଅନୁଯାୟୀ ସେମାନଙ୍କର ବିବାହ ହୋଇଥିଲା। ଫେବୃଆରୀ ୧୯ରେ ସେମାନେ ଧର୍ମଶାଳାରେ ସ୍ବତନ୍ତ୍ର ବିବାହ ଆଇନ ଅନୁଯାୟୀ, ବିବାହ କରିଥିଲେ।
ଅଭୟଙ୍କ ଯାତ୍ରା ଏକ ଚଳଚ୍ଚିତ୍ର ସ୍କ୍ରିପ୍ଟ ପରି ମନେହୁଏ। ୨୦୦୮ରେ JEE ପ୍ରବେଶିକା ପରୀକ୍ଷାରେ ୭୩୧ତମ ସ୍ଥାନ ହାସଲ କରିବା ପରେ ଅଭୟ IIT ବମ୍ବେରେ ଏରୋସ୍ପେସ ଇଞ୍ଜିନିୟରିଂ କରିଥିଲେ। କାନାଡାରେ ୩୬ ଲକ୍ଷ ବାର୍ଷିକ ଦରମା ପ୍ୟାକେଜ ସହିତ କାମ କରିବା ପରେ ସେ ମାନସିକ ଶାନ୍ତି ପାଇଁ ଏତେ ଟଙ୍କାର ଚାକିରି ଛାଡି ଆଧ୍ୟାତ୍ମିକ ଆଡକୁ ମୁହାଁଇଥିଲେ। ବିଜ୍ଞାନ ଜଣଙ୍କର IQ (ବୁଦ୍ଧିମା ଗୁଣାଙ୍କ) ବୃଦ୍ଧି କରିବାରେ ସାହାଯ୍ୟ କରେ, କଳା ଏବଂ ଆଧ୍ୟାତ୍ମିକତା ଜଣଙ୍କର EQ (ଭାବପ୍ରବଣ ଗୁଣାଙ୍କ) ସନ୍ତୁଳନ କରିବାରେ କାମ କରେ ବୋଲି କୁହନ୍ତି ଅଭୟ।
ବିବାହ ପରେ ସେମାନଙ୍କର ଭବିଷ୍ୟତର ଯୋଜନା ବିଷୟରେ କହିଛନ୍ତି ଅଭୟ ଏବଂ ପ୍ରତୀକା। ସେମାନେ ବର୍ତ୍ତମାନ ‘ଶ୍ରୀ ବିଶ୍ୱବିଦ୍ୟାଳୟ’ ପ୍ରକଳ୍ପରେ କାମ କରୁଛନ୍ତି। ସେମାନଙ୍କର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ପ୍ରାଚୀନ ଜ୍ଞାନ ଏବଂ ବିଭିନ୍ନ ଆଧ୍ୟାତ୍ମିକ ଅଭ୍ୟାସଗୁଡ଼ିକର ସୁବିଧା ଯୋଗାଇବା। ପୁଣି ସବୁକିଛି ଗୋଟିଏ ଛାତ ତଳେ। ଭଗବାନ ମହାଦେବଙ୍କ ଦିବ୍ୟ ଶକ୍ତି ଦ୍ୱାରା ଅନୁପ୍ରାଣିତ ହୋଇ ସେମାନେ ହିମାଚଳ ପ୍ରଦେଶର କାଙ୍ଗଡ଼ାରେ ଏହି କେନ୍ଦ୍ର ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ସମ୍ପୂର୍ଣ୍ଣ ନିଷ୍ଠାର ସହିତ ତାଙ୍କର ପାରିବାରିକ ଦାୟିତ୍ୱ ନିର୍ବାହ କରିବା ସହିତ, ସେ ବିଶ୍ୱର କଲ୍ୟାଣ ପାଇଁ ତାଙ୍କର ଆଧ୍ୟାତ୍ମିକ କାର୍ଯ୍ୟ ଜାରି ରଖିବେ।
Dharitri – Odisha’s No.1 Odia Daily

