ରେଟ୍‌ କଣ୍ଟ୍ରାକ୍ଟକୁ ଅଣଦେଖା: ସଙ୍କଟରେ ଏମ୍‌ଏସ୍‌ଏମ୍‌ଇ

ଭୁବନେଶ୍ୱର,୪।୧୧(ବ୍ୟୁରୋ) – ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିକାଶ ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଥିବା ରାଜ୍ୟ ସରକାର କହୁଛନ୍ତି। ସ୍ଥାନୀୟ ଶିଳ୍ପଗୁଡ଼ିକର ସ୍ବାର୍ଥ ରକ୍ଷା ଲାଗି ସରକାର ଇପିଏମ୍‌ (ରପ୍ତାନି ପ୍ରୋତ୍ସାହନ ଓ ବିପଣନ) ରେଟ୍‌ କଣ୍ଟ୍ରାକ୍ଟ ବ୍ୟବସ୍ଥାକୁ ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖିଥିଲେ। ରେଟ୍‌ କଣ୍ଟ୍ରାକ୍ଟ ମାଧ୍ୟମରେ ରାଜ୍ୟ ସରକାର ବିଭିନ୍ନ ବିଭାଗ ଲାଗି ପ୍ରାୟ ୨୩୦ କୋଟି ଟଙ୍କାର ସାମଗ୍ରୀ କ୍ରୟ କରିଥାନ୍ତି। ଫଳରେ ବହୁ କ୍ଷୁଦ୍ର ଶିଳ୍ପ ତିଷ୍ଠିପାରିଛନ୍ତି। ହେଲେ ଅକ୍ଟୋବରରେ ଆସିଥିବା ଏକ ସର୍କୁଲାରରେ ଇପିଏମ୍‌ ରେଟ୍‌ କଣ୍ଟ୍ରାକ୍ଟ ବ୍ୟବସ୍ଥାକୁ ଗୌଣ କରାଯାଇ ‘ଗଭର୍ନମେଣ୍ଟ ଇ-ମାର୍କେଟ ପ୍ଲେସ୍‌’ (ଜିଇଏମ୍‌)ରେ ସାମଗ୍ରୀ କିଣିବାକୁ ଅଗ୍ରାଧିକାର ଦିଆଯାଉଛି। ଜିଇଏମ୍‌ ପ୍ରଚଳନ କରି ସରକାର ଇ-ମାର୍କେଟ ମାଧ୍ୟମରେ ସାରା ଭାରତର ଏମ୍‌ଏସ୍‌ଏମ୍‌ଇଠାରୁ ସାମଗ୍ରୀ କିଣିପାରିବେ। ଏହାଦ୍ୱାରା ରାଜ୍ୟର ୩ଲକ୍ଷ କ୍ଷୁଦ୍ରଶିଳ୍ପ ଓ ଏଥିରେ ନିଯୁକ୍ତ ପ୍ରାୟ ୨୪ ଲକ୍ଷ ଲୋକଙ୍କ ନିଯୁକ୍ତି ଉପରେ ସଙ୍କଟ ସୃଷ୍ଟି ହୋଇଛି। ବର୍ତ୍ତମାନ ରାଜ୍ୟର ୬୦% ଏମ୍‌ଏସ୍‌ଏମ୍‌ଇ ସୁପ୍ତ ଅବସ୍ଥାରେ ରହିଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପ ଅନ୍ୟ କ୍ଷୁଦ୍ର ଶିଳ୍ପଗୁଡ଼ିକୁ ବନ୍ଦ କରିଦେବା ପାଇଁ ବାଧ୍ୟ କରିଛି। କ୍ଷୁଦ୍ର ଶିଳ୍ପସଂସ୍ଥାଗୁଡ଼ିକ ପକ୍ଷରୁ ପ୍ରଶ୍ନ ହେଉଛି ଯେ, ସର୍ବ ଭାରତୀୟ ସ୍ତରରୁ ସାମଗ୍ରୀ କଣିବା ପାଇଁ ଯଦି ସରକାର ନୀତି ଆପଣାଇଛନ୍ତି, ତା’ହେଲେ ୨୪ ଲକ୍ଷ ଲୋକଙ୍କ ନିଯୁକ୍ତିକୁ ସୁରକ୍ଷା ଦେଇପାରିବେ କି।
ରେଟ୍‌ କଣ୍ଟ୍ରାକ୍ଟ ବ୍ୟବସ୍ଥାରେ ଇଞ୍ଜିନିୟରିଂ, ମେଟାଲ, ଫର୍ନିଚର, କେମିକାଲ୍ସ, ରବର, ଲେଦର, ପ୍ଲାଷ୍ଟିକ, ପିଭିସି ଏବଂ ଫାର୍ମାସ୍ୟୁଟିକାଲ ବର୍ଗରେ ପ୍ରଡକ୍ଟ ଏମ୍‌ଏସ୍‌ଏମ୍‌ଇଠାରୁ କିଣାଯାଇଥାଏ। ମୋଟ ୮୮ ସାମଗ୍ରୀ ଏଥିରେ ସାମିଲ କରାଯାଇଛି। ଏଭଳି ବ୍ୟବସ୍ଥାରେ ରାଜ୍ୟ ସରକାର ସାମଗ୍ରୀର ମୂଲ୍ୟ ସ୍ଥିର କରିଥାନ୍ତି। ସବୁ ୟୁନିଟ ଲାଗି ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ବର୍ଷେ ଯାଏ ଏହା ବୈଧ ରହିଥାଏ। ସାମଗ୍ରୀର ଗୁଣବତ୍ତା ପରୀକ୍ଷଣ ଏଥିରେ ରଖାଯାଇଥିଲା। ୯୦% ସ୍ଥାନୀୟ କ୍ଷୁଦ୍ର ଶିଳ୍ପ ସରକାରୀ ଅର୍ଡର ଉପରେ ନିର୍ଭର କରିଥାନ୍ତି। ରେଟ୍‌ କଣ୍ଟ୍ରାକ୍ଟ ସହ ଜିଇଏମ୍‌ ବ୍ୟବସ୍ଥା ରଖିବାକୁ ପୂର୍ବରୁ ସରକାର ବିଚାର କରିଥିଲେ। ଏହାକୁ ନେଇ କ୍ଷୁଦ୍ରଶିଳ୍ପ ଅଂଶୀଦାରଙ୍କୁ ଭରସା ଦିଆଯାଇଥିଲା। ହେଲେ ବର୍ତ୍ତମାନ ଜିଇଏମ୍‌ରେ ସାମଗ୍ରୀ କିଣିବାକୁ ସରକାରୀ ସର୍କୁଲାର ଜାରି ହୋଇଥିବାରୁ ଏହାକୁ ନେଇ ଶିଳ୍ପ ଅଂଶୀଦାରମାନେ ଆଶଙ୍କାରେ ରହିଛନ୍ତି। ରେଟ୍‌ କଣ୍ଟ୍ରାକ୍ଟ ବ୍ୟବସ୍ଥାକୁ ସରକାର ଆସ୍ତେ ଆସ୍ତେ ଉଠାଇଦେବେ ବୋଲି ଶୁଣାଯାଉଛି। କାରଣ ଉକ୍ତ ବ୍ୟବସ୍ଥାକୁ ପୁନଃ ନବୀକରଣ କରାଯାଉନାହିଁ।
ସାମଗ୍ରୀ ରପ୍ତାନି ଛୋଟ ୟୁନିଟଗୁଡିକ ଲାଗି କଷ୍ଟକର। ଏଣୁ ରେଟ୍‌ କଣ୍ଟ୍ରାକ୍ଟ ଉଠିଗଲେ ଏହା ଶିଳ୍ପଗୁଡିକର ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ। ଅପରପକ୍ଷରେ ଜିଇଏମ୍‌ ପଞ୍ଜୀକରଣ ୟୁନିଟଗୁଡିକ ଲାଗି କଷ୍ଟକର ହେଉଥିବା ଜଣାପଡିଛି। କାରଣ ରାଜ୍ୟ ଅର୍ଥ ବିଭାଗ ମଧ୍ୟ ଏହି ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ ବୋଲି ଶିଳ୍ପ ସଂଘ ପକ୍ଷରୁ କୁହାଯାଉଛି। ନୂଆ ବ୍ୟବସ୍ଥା ଲାଗୁ ହେବା ସମୟରେ ଅଂଶୀଦାରଙ୍କ ମତାମତ ନେବାର ଆବଶ୍ୟକତାକୁ ମଧ୍ୟ ବିଚାରକୁ ନିଆଯାଉନାହିଁ। ଜିଇଏମ୍‌ ଉପରେ ସଚେତନ କରାଇବାକୁ କୌଣସି ବ୍ୟବସ୍ଥା ମଧ୍ୟ କରାଯାଇନାହିଁ।
ଜିଇଏମ୍‌ରେ ରାଜ୍ୟର କ୍ଷୁଦ୍ରଶିଳ୍ପ ଅଂଶଗ୍ରହଣ କଲେ ସର୍ବଭାରତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ। ଦେଶର ଶିଳ୍ପ ବିକଶିତ ରାଜ୍ୟଗୁଡିକରେ ଯେଉଁ ଭିତ୍ତିଭୂମି ରହିଛି ଓଡ଼ିଶା ସେହି ତୁଳନାରେ ବହୁ ପଛୁଆ। ଫଳରେ ରାଜ୍ୟର ଶିଳ୍ପ ଏହାଦ୍ୱାରା ସାମଗ୍ରୀ ଯୋଗାଣରେ ସକ୍ଷମ ହେବେ ନାହିଁ। ଉପକୂଳ ଏବଂ ମଧ୍ୟ ଓଡ଼ିଶାରେ ରହିଥିବା ଶିଳ୍ପଗୁଡିକ ଠିକ୍‌ ଭାବେ ଅନ୍‌ଲାଇନରେ ଜିଇଏମ୍‌ରେ ଅଂଶଗ୍ରହଣ ନେଇ ସଚେତନ ନୁହନ୍ତି। ଏଭଳି ସ୍ଥିତିରେ କଳାହାଣ୍ଡି,
ରେଟ୍‌ କଣ୍ଟ୍ରାକ୍ଟକୁ ଅଣଦେଖା:…
କୋରାପୁଟ ଏବଂ ମାଲକାନଗିିରି ଭଳି ଅଞ୍ଚଳର କ୍ଷୁଦ୍ରଶିଳ୍ପ କିଭଳି ନୂଆ ବ୍ୟବସ୍ଥାର ଲାଭ ଉଠାଇପାରିବେ ବୋଲି କ୍ଷୁଦ୍ର ଶିଳ୍ପ ସଂଘ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ବର୍ତ୍ତମାନ ଜିଇଏମ୍‌ରେ ପଞ୍ଜୀକରଣ କଷ୍ଟକର ହେଉଛି। ଅଂଶୀଦାରଙ୍କୁ ମାନ୍ୟୁଫାକ୍‌ଚର ପରିବର୍ତ୍ତେ ରିଟେଲର ଭାବେ ପଞ୍ଜୀକରଣ ମିଳୁଛି। ଫଳରେ ସମାନ ସୁବିଧା ସୁଯୋଗ ଅଂଶୀଦାରଙ୍କୁ ମିଳିପାରୁନାହିଁ। ୧୫ ହଜାର ଟଙ୍କା ଦେଇ ଅନ୍‌ଲାଇନ ଆସେସ୍‌ମେଣ୍ଟ କରାଇବାର ଯେଉଁ ବ୍ୟବସ୍ଥା ରହିଛି ତାହା ମଧ୍ୟ ଅସୁବିଧା ସୃଷ୍ଟି କରୁଛି। ସେହିଭଳି ଜିଇଏମ୍‌ରେ ସଂଗ୍ରହ ହୋଇଥିବା ସାମଗ୍ରୀର ଗୁଣବତ୍ତା ପରୀକ୍ଷଣ ଠିକ୍‌ ଭାବେ ହେଉ ନ ଥିବା ବେଳେ ମୂଲ୍ୟ ମଧ୍ୟ ଅଧିକ ରହୁଛି। ରେଟ୍‌ କଣ୍ଟ୍ରାକ୍ଟରେ କୌଣସି କଣ୍ଟ୍ରାକ୍ଟ ଅର୍ଡର ଆସିଲେ ୟୁନିଟ୍‌ଗୁଡିକ ମଧ୍ୟରେ ବାଣ୍ଟି ଦିଆଯାଉଥିଲା। ମାତ୍ର ଜିଇଏମ୍‌ରେ ଏହା ଗୋଟିଏ ୟୁନିଟ୍‌ ସପକ୍ଷରେ ଯାଉଛି। ଫଳରେ ଅନ୍ୟ ୟୁନିଟ କାମ ନ ପାଇବାର ଚିନ୍ତା ଉପୁଜିଛି।
ଓଡ଼ିଶା କ୍ଷୁଦ୍ର ଶିଳ୍ପ ସଂଘର ସଭାପତି ସ୍ମରଜିତ ମହାନ୍ତି କହିଛନ୍ତି, ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା କ୍ଷୁଦ୍ରଶିଳ୍ପର ସମସ୍ୟା ବଢ଼ିଯିବ। ଲକ୍‌ଡାଉନ ଜନିତ ସମସ୍ୟାରେ ପଡ଼ିଥିବା କ୍ଷୁଦ୍ର ଶିଳ୍ପଗୁଡିକୁ ସହାୟତା କରିବା ପରିବର୍ତ୍ତେ ସରକାର ବର୍ତ୍ତମାନ ଶିଳ୍ପ ବିରୋଧୀ ନୀତି କାର୍ଯ୍ୟକାରୀ କରାଇବା ଅତ୍ୟନ୍ତ ଦୁଃଖର ବିଷୟ। ରେଟ୍‌ କଣ୍ଟ୍ରାକ୍ଟ ଅଧୀନରେ ରହିଥିବା ସାମଗ୍ରୀ ପୂର୍ବ ଧାରାରେ କିଣାଯିବାର ଆବଶ୍ୟକତା ରହିଛି। ଅନ୍ୟ ସାମଗ୍ରୀଗୁଡିକୁ ଜିଇଏମ୍‌ ଦ୍ୱାରା କ୍ରୟ କରାଯାଇପାରିବ। ଏଭଳି ପ୍ରସଙ୍ଗକୁ ସରକାର ବିଚାର କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ।
ଶିଳ୍ପ ସଂଘ ଓସ୍‌ମେ ମହାସଚିବ ସାତ୍ତ୍ୱିକ ସ୍ବାଇଁ କହିଛନ୍ତି, ଜିଇଏମ୍‌ ବ୍ୟବସ୍ଥାକୁ ବିରୋଧ କରୁନାହଁୁ। ରେଟ୍‌ କଣ୍ଟ୍ରାକ୍ଟକୁ ଅଣଦେଖା କରିବା ମାନେ ସରକାର ‘ଭୋକାଲ ଫର୍‌ ଲୋକାଲ’କୁ ଧ୍ୟାନ ଦେଉନାହାନ୍ତି। ଏକାଥରକେ ୨ଟି ବ୍ୟବସ୍ଥାରେ ସାମଗ୍ରୀ ସଂଗ୍ରହ ନେଇ ଯେଉଁ ନିୟମ ସରକାର କାର୍ଯ୍ୟକାରୀ କରାଉଛନ୍ତି ସେଥିରେ ସ୍ପଷ୍ଟତା ଦେଖାଯାଉନାହିଁ। ଫଳରେ ବିଭିନ୍ନ ବିଭାଗ ଜାଣିଶୁଣି ରେଟ୍‌ କଣ୍ଟ୍ରାଣ୍ଟକୁ ଗୌଣ କରୁଛନ୍ତି। ରେଟ୍‌ କଣ୍ଟ୍ରାକ୍ଟରେ ଭାଲ୍ୟୁ ଫର୍‌ ମନି ଉପଲବ୍ଧ ହେଉଥିଲା। ମାତ୍ର ଜିଇଏମ୍‌ ଆସିବା ଦ୍ୱାରା ସରକାରଙ୍କୁ ସମାନ ସାମଗ୍ରୀକୁ ଅଧିକ ମୂଲ୍ୟ ଦେଇ କିଣିବାକୁ ପଡ଼ିବ। ସ୍ଥାନୀୟ ଶିଳ୍ପସଂସ୍ଥାଗୁଡିକର ସ୍ବାର୍ଥକୁ ସରକାର ଧ୍ୟାନଦେବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?