ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ ହୋଇଥିଲା। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ବିଶବିଦ୍ୟାଳୟ, ଜାତୀୟ ସେବା ଯୋଜନା ଅଧିକାରୀ ଏବଂ ଯେଉଁ କଲେଜରେ ଜାତୀୟ ସେବା ଯୋଜନା ଅଛି ସମ୍ପୃକ୍ତ କଲେଜ ଓ ବିଶବିଦ୍ୟାଳୟ କର୍ତ୍ତୃପକ୍ଷ ଆଲୋଚନାରେ ଭାଗ ନେଇଥିଲେ। ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ, ଜାତୀୟ ସେବା ଯୋଜନା ରାଜ୍ୟ ସଂଯୋଜକ ଯୋଜନା କିଭଳି ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ସେନେଇ କହିଥିଲେ। ଆସନ୍ତା ୧୦ ତାରିଖ ସୁଦ୍ଧା ପ୍ରଦାନ କରାଯାଇଥିବା ଅର୍ଥ ଖର୍ଚ୍ଚ କରି ବିନିଯୋଗ ପ୍ରମାଣ ପତ୍ର ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି ଅର୍ଥ ଖର୍ଚ୍ଚ ହୋଇପାରିବ ନାହିଁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶକ କହିଥିଲେ। ଦିଆଯାଇଥିବା ଅର୍ଥ ଖର୍ଚ୍ଚ ହେଲେ ନୂଆ ଅର୍ଥ ପ୍ରଦାନ କରାଯିବ। ଏଥିସହ ଜାତୀୟ ସେବା ଯୋଜନା ଯେଉଁ ଲକ୍ଷ୍ୟ ନେଇ ଗଠନ ହୋଇଛି ତାହା ସଠିକ୍‌ ଭାବେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ୫୦୪ରୁ ଊର୍ଦ୍ଧ୍ୱ ଜାତୀୟ ସେବା ଯୋଜନା ଶାଖା ଅଛି।

Dharitri – Odisha’s No.1 Odia Daily

Share