ନୂଆଦିଲ୍ଲୀ,୨୪।୧୦: ଯଦି ଆପଣଙ୍କର ସେଭିଂସ ଆକାଉଣ୍ଟ ICICI ବ୍ୟାଙ୍କରେ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ। ବ୍ୟାଙ୍କ ୧ ଡିସେମ୍ୱର ୨୦୨୬ରୁ ସେଭିଂସ ଆକାଉଣ୍ଟ ସହ ଜଡ଼ିତ କିଛି ସର୍ଭିସ ଚାର୍ଜରେ ପରିବର୍ତ୍ତନ କରିବାକୁ ଯାଉଛି। ଏହା ପରେ ର୍ନିଦ୍ଧାରିତ ଫ୍ରି ଲିମିଟ୍ରୁ ଅଧିକ ଟଙ୍କା ଜମା କରିବା କିମ୍ୱା ଉଠାଇବା ଉପରେ ଆପଣଙ୍କୁ ଅଧିକ ଚାର୍ଜ ଦେବାକୁ ପଡ଼ିବ। ସେହିପରି ଋଣର EMI କିମ୍ୱା ଇନସୁରାନ୍ସ ପ୍ରିମିୟମ ଭଳି ଅଟୋମେଟିକ ପେମେଣ୍ଟ ଫେଲ ହେଲେ ମଧ୍ୟ ଜରିମାନା ଲାଗିବ। ଜାଣନ୍ତୁ ନୂଆ ନିୟମ ଦ୍ୱାରା ଆପଣଙ୍କ ପକେଟ ଉପରେ କ’ଣ ପ୍ରଭାବ ପଡ଼ିବ।
ICICI ବ୍ୟାଙ୍କର ନୂଆ ନିୟମ ଅନୁସାରେ, ଲାଗୁ ହେଉଥିବା ସେଭିଂସ ଆକାଉଣ୍ଟରେ ଶାଖା (Branch) କିମ୍ୱା କ୍ୟାଶ ରିସାଇକ୍ଲର ମେସିନ୍ରୁ ଟଙ୍କା ଜମା କରିବା କ୍ଷେତ୍ରରେ ଫ୍ରି ଲିମିଟ ଶେଷ ହେବା ପରେ ଚାର୍ଜ ବଢ଼ିଯିବ। ବର୍ତ୍ତମାନ ପ୍ରତି ୧,୦୦୦ ଟଙ୍କା ଉପରେ ୩.୫୦ ଟଙ୍କା ଚାର୍ଜ ଲାଗୁଛି, ଯାହାକୁ ବୃଦ୍ଧି କରି ୪ ଟଙ୍କା କରାଯାଉଛି। ଶାଖାରୁ କ୍ୟାଶ ଉଠାଇବା କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ ହେବ।
ଗ୍ରାହକମାନଙ୍କୁ ପ୍ରତି ମାସରେ ୩ଟି କ୍ୟାଶ ଟ୍ରାଞ୍ଜାକସନ ମାଗଣାରେ କରିବାର ସୁବିଧା ମିଳିବ। ଏହା ପରେ ପ୍ରତ୍ୟେକ ଅତିରିକ୍ତ ଟ୍ରାଞ୍ଜାକସନ ପାଇଁ ୧୫୦ ଟଙ୍କା ଲେଖାଏଁ ଚାର୍ଜ ଲାଗିବ।
ଏହା ବ୍ୟତୀତ, ପ୍ରତି ମାସରେ ମୂଲ୍ୟ ହିସାବରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାଶ ଟ୍ରାଞ୍ଜାକସନ ଉପରେ କୌଣସି ଚାର୍ଜ ଲାଗିବ ନାହିଁ। ଯଦି ମାସରେ ୧ ଲକ୍ଷ ଟଙ୍କାର ଲିମିଟ ପାର ହୋଇଯାଏ, ତେବେ ପ୍ରତି ୧,୦୦୦ ଟଙ୍କା ପାଇଁ ୪ ଟଙ୍କା କିମ୍ୱା ୧୫୦ ଟଙ୍କାଯାହା ଅଧିକ ହେବ, ସେହି ଚାର୍ଜ ଦେବାକୁ ପଡ଼ିବ। ଯଦି ଟ୍ରାଞ୍ଜାକସନ ସଂଖ୍ୟା ଏବଂ ରାଶି ଉଭୟର ଫ୍ରି ଲିମିଟ ପାର୍ ହୋଇଯାଏ, ତେବେ ଯେଉଁ ଚାର୍ଜଟି ଅଧିକ ହେବ ତାହା ହିଁ ଲାଗୁ ହେବ। ତେବେ ଫ୍ରି ଲିମିଟ ମଧ୍ୟରେ କ୍ୟାଶ ଜମା କିମ୍ୱା ଉଠାଣ କଲେ କୌଣସି ଅତିରିକ୍ତ ଶୁଳ୍କ ଲାଗିବ ନାହିଁ।
ବ୍ୟାଙ୍କ ECS/NACH ମାଧ୍ୟମରେ ହେଉଥିବା ଅଟୋମେଟିକ ପେମେଣ୍ଟ ଫେଲ ହେବା ଉପରେ ଲାଗୁଥିବା ଶୁଳ୍କରେ ମଧ୍ୟ ପରିବର୍ତ୍ତନ କରିଛି। ଯଦି ଆକାଉଣ୍ଟରେ ପର୍ଯ୍ୟାପ୍ତ ବାଲାନ୍ସ ନଥିବା କାରଣରୁ ପେମେଣ୍ଟ ଫେଲ ହୁଏ, ତେବେ ପ୍ରଥମ ଥର ପାଇଁ ୫୦୦ ଟଙ୍କା ଚାର୍ଜ ଲାଗିବ। ସେହିପରି ସମାନ ମ୍ୟାଣ୍ଡେଟ ଅଧୀନରେ ଦ୍ୱିତୀୟ ଏବଂ ତୃତୀୟ ଥର ପେମେଣ୍ଟ ଫେଲ ହେଲେ ୫୫୦-୫୫୦ ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡ଼ିବ। ଗୋଟିଏ ମ୍ୟାଣ୍ଡେଟ ଉପରେ ଗୋଟିଏ ମାସରେ ସର୍ୱାଧିକ ତିନି ଥର ଏହି ଚାର୍ଜ ଆଦାୟ କରାଯାଇପାରିବ।
ଏହାର ପ୍ରଭାବ ବିଶେଷ କରି ସେହି ଗ୍ରାହକମାନଙ୍କ ଉପରେ ପଡ଼ିବ, ଯେଉଁମାନଙ୍କ ଖାତାରୁ ଋଣର କିସ୍ତି (EMI), ଇନସୁରାନ୍ସ ପ୍ରିମିୟମ କିମ୍ୱା କୌଣସି ବିଲ ପ୍ରତି ମାସରେ ଆପେ ଆପେ (Auto-Debit) କଟିଥାଏ। ତେଣୁ ପେମେଣ୍ଟ ତାରିଖ ପୂର୍ୱରୁ ଆକାଉଣ୍ଟରେ ପର୍ଯ୍ୟାପ୍ତ ବାଲାନ୍ସ ରଖିବା ଜରୁରୀ।
ବେସିକ ସେଭିଂସ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟ (BSBDA) ପାଇଁ କ୍ୟାଶ ଟ୍ରାଞ୍ଜାକସନ ଚାର୍ଜ ଶୂନ ରଖାଯାଇଛି। ଅର୍ଥାତ୍ ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟ (Jan Dhan Accounts) ରେ କ୍ୟାଶ ଜମା କରିବା କିମ୍ୱା ଉଠାଇବା ଉପରେ କୌଣସି ଶୁଳ୍କ ଲାଗିବ ନାହିଁ। ଏହି ସେବା ସମ୍ପୂର୍ଣ୍ଣ ମାଗଣା ରହିବ। ତଥାପି, ଏହି ଖାତାଗୁଡ଼ିକ ପାଇଁ ମଧ୍ୟ ECS/NACH ପେମେଣ୍ଟ ଫେଲ ହେବା ଉପରେ ଲାଗୁଥିବା ଚାର୍ଜରେ ପରିବର୍ତ୍ତନ କରାଯାଇଛି। ଯଦି ଆପଣଙ୍କ ଖାତାରୁ ଋଣ କିସ୍ତି, ବିଲ କିମ୍ୱା କୌଣସି ଅଟୋ-ଡେବିଟ (ECS/NACH) ପେମେଣ୍ଟ ବାଲାନ୍ସ ଅଭାବରୁ ଫେଲ ହୁଏ, ତେବେ ଜରିମାନା ଦେବାକୁ ପଡ଼ିବ।
ତେବେ ମନେ ରଖନ୍ତୁ ଯେ ସବୁ ପ୍ରକାର ସେଭିଂସ ଆକାଉଣ୍ଟ ଉପରେ ଗୋଟିଏ ନିୟମ ଲାଗୁ ହୁଏ ନାହିଁ। ଏଥିପାଇଁ ସମସ୍ତ ଗ୍ରାହକ ବ୍ୟାଙ୍କର ଅଫିସିଆଲ ୱେବସାଇଟକୁ ଯାଇ ନିଜ ଆକାଉଣ୍ଟ ହିସାବରେ ଲାଗୁ ହେଉଥିବା ଚାର୍ଜ ବିଷୟରେ ଯାଞ୍ଚ କରିନେବା ଉଚିତ।

