ଦିଗପହଣ୍ଡି, ୧୬।୧(ଅଶେଷ ନାଥ ମିଶ୍ର): ୬ ମାସ ପୂର୍ବେ ବଡ଼ ଝିଅଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଜେଲ ଯାଇଥିଲେ। ଜେଲରୁ ଫେରି ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ। ଅଭିଯୁକ୍ତ ସ୍ବାମୀ ପୁଣି ଗଲେ ଜେଲ। ଏଭଳି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଘଟିଛି। ଅଭିଯୁକ୍ତ ହେଲେ ଦ୍ବାରଗାଁ ଗ୍ରାମର ଭୀମ ପ୍ରଧାନ। ତାଙ୍କୁ କେ.ନୂଆଗାଁ ପୋଲିସ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୧୯/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ଅଭିଯୁକ୍ତ ଭୀମ ଗତ ପ୍ରାୟ ୬ ମାସ ପୂର୍ବେ ନିଜ ବଡ଼ଝିଅଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ଥାନା ମାମଲା ନଂ.୨୧୦/୨୫ ଅନୁଯାୟୀ ଜେଲ ହାଜତରେ ଥିଲେ। କିଛିଦିନ ପୂର୍ବେ ସେ ଜେଲରୁ ଜାମିନରେ ମୁକୁଳିଥିଲେ। ଅଭିଯୁକ୍ତ ଭୀମ ଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରଧାନ ଓ ପିଲାମାନେ କେ. ନୂଆଗାଁ ଥାନା ଅର୍ନ୍ତଗତ ନୂଆପଡ଼ା ଗ୍ରାମ ନିଲମ ଛକରେ ଏକ ଭଡ଼ାଘରେ ରହୁଛନ୍ତି। ଭୀମ ଗୁରୁବାର ସା ପ୍ରାୟ ୭ ଟାରେ ନୂଆପଡ଼ା ଗ୍ରାମରେ ରହୁଥିବା ସ୍ତ୍ରୀ ଲକ୍ଷ୍ମୀଙ୍କ ଘରେ ଜବରଦସ୍ତ ପଶି ଘର ଭିତରେ ଥିବା ଆସବାବପତ୍ର ଗୁଡ଼ିକୁ ଭାଙ୍ଗି ଫିଙ୍ଗା ଫୋପଡା କରିଥିଲେ।
ସ୍ତ୍ରୀ ଲକ୍ଷ୍ମୀ ପ୍ରତିବାଦ କରିବାରୁ ସେ ଏକ ଛୁରୀରେ ତାଙ୍କୁ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ। ଲକ୍ଷ୍ମୀଙ୍କ ପାଟି ଶୁଣି ସାହି ପଡୋଶୀ ଘଟଣାସ୍ଥଳରେ ପହଞ୍ଚି ଲକ୍ଷ୍ମୀଙ୍କୁ ଉଦ୍ଧାର କରିବା ସହ ସେଠାରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ଭୀମଙ୍କୁ କାବୁ କରି ପୋଲିସକୁ ଜଣାଇଥିଲେ। କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଭୀମ ଙ୍କୁ ଧରି ଥାନାକୁ ଉଠାଇ ନେଇଥିଲେ। ଏନେଇ ଲକ୍ଷ୍ମୀ ଥାନାରେ ଏତଲା ଦେବାପରେ ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ସୁବାସ ଚନ୍ଦ୍ର ବାୟକ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ନିକଟରୁ ହତ୍ୟା ଉଦ୍ୟମ ଘଟଣାରେ ବ୍ୟବହୃତ ଛୁରୀ ଜବତ କରି କୋର୍ଟ ଚାଲାଣ କରିଥିଲେ।
Dharitri – Odisha’s No.1 Odia Daily