ଗୁରୁଗ୍ରାମ,୬।୯: ହରିୟାଣାର ଗୁରୁଗ୍ରାମରେ ଏକ ଅଜବ ଘଟଣା ଘଟିଛି। ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କୁ ମୃତ ବୋଲି ବିବେଚନା କରାଯାଇଥିଲା ଏବଂ ତାଙ୍କ ପରିବାର ତାଙ୍କ ମୃତଦେହକୁ ଦାହ କରିଥିଲେ। ଅନ୍ତିମ ସଂସ୍କାର ପରେ ହଠାତ୍ ପରଦିନ ସେ ତାଙ୍କ ଘରକୁ ଫେରି ଆସଥିଲେିଲେ। ଏହି ବ୍ୟକ୍ତିଙ୍କ ନାମ ପୂଜନ ପ୍ରସାଦ। ସେ ତାଙ୍କ ସ୍ତ୍ରୀ ଏବଂ ତିନି ପୁଅଙ୍କ ସହିତ ଗୁରୁଗ୍ରାମର ସେକ୍ଟର-୩୬, ମହମ୍ମଦପୁର ଝାରସାରେ ରୁହନ୍ତି। ପୂଜନଙ୍କ ଘରକୁ ଫେରିବା ତାଙ୍କ ପରିବାର, ସମ୍ପର୍କୀୟ, ପଡ଼ୋଶୀ ଏବଂ ପୋଲିସ ଅଧିକାରୀମାନଙ୍କୁ ସ୍ତବ୍ଧ କରିଦେଇଥିଲା।
ଅଗଷ୍ଟ ଶେଷ ଭାଗରେ ପୂଜନ କିଛି ଦିନ ପାଇଁ ନିଖୋଜ ହୋଇଯାଇଥିଲେ। ଏନେଇ ତାଙ୍କ ପରିବାର ସେପ୍ଟେମ୍ବର ୧ରେ ପୋଲିସ ଅଭିଯୋଗ କରିଥିଲେ। ଏହି ସମୟରେ, ପୋଲିସ ପୂଜନଙ୍କ ପୁଅ ସନ୍ଦୀପ କୁମାରଙ୍କୁ ଏକ ମୃତଦେହ ବିଷୟରେ ସୂଚନା ଦେଇଥିଲେ। ଏହାକୁ ସେମାନେ ଅଗଷ୍ଟ ୨୮ରେ ପୂଜନଙ୍କ ଘରୁ ମାତ୍ର ୧.୫ କିଲୋମିଟର ଦୂରରେ ଏକ ଅଞ୍ଚଳରୁ ଉଦ୍ଧାର କରିଥିଲେ। ସରକାରୀ ମର୍ଚୁରୀରେ, ପୋଲିସ ସନ୍ଦୀପଙ୍କୁ ମୃତଦେହ ଦେଖାଇଥିଲା, ସେ କିଛି ସମାନତା ଦେଖିଲେ।
ସନ୍ଦୀପ କହିଛନ୍ତି, ପୋଲିସ ମୋତେ ଦେଖାଇଥିବା ମୃତଦେହର ଡାହାଣ ଗୋଡରେ ଏକ ଆଘାତ ଚିହ୍ନ ଥିଲା। ମୃତଦେହରେ ଏକ ଶର୍ଟ ଏବଂ ପ୍ୟାଣ୍ଟ ମଧ୍ୟ ଥିଲା, ଯାହା ତାଙ୍କ ବାପା ପିନ୍ଧିଥିବା ଶର୍ଟ ଏବଂ ପ୍ୟାଣ୍ଟ ସହିତ ସମାନ ଦେଖାଯାଉଥିଲା। ଡାହାଣ ଗୋଡରେ ଆଘାତ ଚିହ୍ନ ମୋ ବାପାଙ୍କ ଗୋଡ ସହିତ ସମାନ ଥିବାରୁ ମୁଁ ବିଶ୍ୱାସ କରି ପାରିଥିଲି। ତା’ପରେ ମୁଁ ପୋଲିସକୁ କହିଲି ଯେ, ଏହା ମୋ ବାପା। ମୁଁ ଏ ବିଷୟରେ ମୋ ପରିବାରକୁ ମଧ୍ୟ ଜଣାଇଲି।
ମୃତଦେହକୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ମୁଣ୍ଡ ଶରୀରରୁ ଅଲଗା କରାଯାଇଥିଲା। ମୃତଦେହକୁ ବୁଲା ପଶୁମାନେ ବିକୃତ କରିଥିଲେ। ପୁଜନଙ୍କ ମୃତଦେହ ମିଳିବା ଖବର ପାଇ ପରିବାର ଲୋକ ଆଶ୍ଚର୍ଯ୍ୟ ଏବଂ ଦୁଃଖିତ ହୋଇଥିଲେ। ପୁଜନଙ୍କ ସ୍ତ୍ରୀ ଲକ୍ଷ୍ମୀନିଆ ଚେତାଶୂନ୍ୟ ହୋଇଯାଇଥିଲେ। ଶବଦାହ ଦିନ ପଡ଼ୋଶୀ ଏବଂ ସମ୍ପର୍କୀୟମାନେ ଏକାଠି ହୋଇଥିଲେ ଏବଂ ରାମ ବାଗ ଶ୍ମଶାନରେ ପୁଜନଙ୍କୁ ଦାହ କରାଯାଇଥିଲା।
ଏହାର ଗୋଟିଏ ଦିନ ପରେ ପୂଜନଙ୍କ ପୁଅ ଯମୁନାରେ ଚିତାଭସ୍ମ ବିସର୍ଜନ କରିବାକୁ ଦିଲ୍ଲୀ ଯାଇଥିଲେ, କିନ୍ତୁ ରାସ୍ତାରେ ତାଙ୍କୁ ଏକ ଫୋନ ଆସିଥିଲା। ତାଙ୍କ ମାମୁଁ ରାହୁଲ ପ୍ରସାଦ ଖଣ୍ଡସାର ଏକ ଶ୍ରମିକ ଚୌକରେ ପୂଜନଙ୍କୁ ଜୀବିତ ଦେଖିଥିଲେ। ରାହୁଲ ପୁଜନଙ୍କ ହାତ ଧରି ତାଙ୍କୁ ଏକ ଅଟୋରେ ବସାଇ ଘରକୁ ନେଇଗଲେ। ସନ୍ଦୀପ ଏବଂ ତାଙ୍କ ବଡ଼ ଭାଇ ଅମନ ଘରକୁ ଫେରି ତାଙ୍କ ବାପାଙ୍କୁ ବିଛଣାରେ ଶାନ୍ତିରେ ବସିଥିବାର ଦେଖିଲେ। ତା’ପରେ ସେମାନେ କାନ୍ଦି ପକାଇଲେ। ଲକ୍ଷ୍ମୀନିଆ ତାଙ୍କ ସ୍ବାମୀଙ୍କୁ ଦ୍ୱାର ପାଖରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପୁଣି ଅଚେତ ହୋଇପଡ଼ିଥିଲେ।
ପୂଜନଙ୍କ ସ୍ତ୍ରୀ ଲକ୍ଷ୍ମୀନିଆ କହିଛନ୍ତି, ସେ ତାଙ୍କ ସ୍ବାମୀଙ୍କ ମଦ୍ୟପାନ ଏବଂ ଘରୁ ବାହାରେ ରହିବାରେ ଅଭ୍ୟସ୍ତ ହୋଇଯାଇଥିଲେ, କିନ୍ତୁ ଏହି କଷ୍ଟକର ସମୟ ତାଙ୍କୁ ଭାଙ୍ଗି ଦେଲା। ଯଦିଓ ସେ ମୋତେ ହଇରାଣ କରୁଥିଲେ, ସେ ମୋ ସ୍ବାମୀ ଥିଲେ। ମୁଁ ଭାବିଥିଲି ମୁଁ ତାଙ୍କୁ ସବୁଦିନ ପାଇଁ ହରାଇ ଦେଇଛି। ତାଙ୍କୁ ଜୀବିତ ଦେଖିବା ଦ୍ୱିତୀୟ ଜୀବନ ପାଇବା ପରି ଥିଲା। ପଡ଼ୋଶୀମାନେ ମଧ୍ୟ ପୂଜନଙ୍କୁ ଜୀବିତ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।
ପୂଜନ ପୋଲିସକୁ କହିଥିଲେ ଯେ, ସେ ଅନେକ ଦିନ ଧରି ବୁଲୁଥିଲେ। ଛକ ଏବଂ ନିର୍ମାଣ ସ୍ଥାନରେ ଶୋଇଥିଲେ। ସେ ଏତେ ମଦ୍ୟପାନ କରିଥିଲେ ଯେ, ଘରକୁ ଫେରି ପାରି ନ ଥିଲେ।

