୫ କନ୍ୟା ସନ୍ତାନଙ୍କୁ ଜନ୍ମ ଦେବାରୁ ସ୍ତ୍ରୀଙ୍କୁ ସ୍ବାମୀଙ୍କ ଅକଥନୀୟ ନିର୍ଯାତନା, ସହି ନ ପାରି…

ଭୁବନ,୧୬ା୧୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଚମ୍ପାନାଳିଆ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଗ୍ରାମର ବାବୁଲି ନାଏକଙ୍କ ଝିଅ ସୁଲୋଚନା ୫ କନ୍ୟା ସନ୍ତାନଙ୍କୁ ଜନ୍ମ ଦେବାରୁ ତାଙ୍କ ସ୍ବାମୀ ଅକଥନୀୟ ନିର୍ଯାତନା ଦେଉଥିଲେ। ଏହାକୁ ସହି ନ ପାରି ସୁଲୋଚନା ୫ କନ୍ୟା ସନ୍ତାନଙ୍କ ସହ ଘର ଛାଡ଼ି ଚାଲିଆସିଛନ୍ତି। ଏହି ଘଟଣା ଅଞ୍ଚଳରେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

ଏ ସଂକ୍ରାନ୍ତରେ ଚମ୍ପାନାଳିଆ ଗ୍ରାମର ବାବୁଲି ନାଏକଙ୍କ ସ୍ତ୍ରୀ ତଥା ସୁଲୋଚନାଙ୍କ ମା’ ମୋହନା ଅଭିଯୋଗ କରିଛନ୍ତି। ବାବୁଲିଙ୍କ ଝିଅ ସୁଲୋଚନାଙ୍କୁ ଢେଙ୍କାନାଳ ଜିଲା ଗୁଡ଼ିଆକାଟେଣି ଗ୍ରାମର ଉତ୍ସବ ନାୟକଙ୍କ ପୁଅ ଚୈତନ୍ୟଙ୍କ ସହିତ ୧୪ ବର୍ଷ ତଳେ ବୈଦିକ ରୀତିରେ ବିବାହ ଦେଇଥିଲେ। ବିବାହ ପରଠାରୁ ଚୈତନ୍ୟ ସ୍ତ୍ରୀଙ୍କୁ ତାଙ୍କ ମାମୁଘରେ ଛାଡ଼ିଦେଇଥିଲେ। ସୁଲୋଚନାଙ୍କ ଘର ଭୁବନ ଥାନା ମୁରୁଗା ଗ୍ରାମରେ । ସେବେଠାରୁ ଚୈତନ୍ୟଙ୍କ ସ୍ତ୍ରୀ ପୁଅକୁ ଚାହିଁଚାହିଁ ୫ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ପୁଅ ଜନ୍ମ ନ ହେବାରୁ ସୁଲୋଚନାଙ୍କ ଉପରେ ସ୍ବାମୀ ବାରମ୍ବାର ଅତ୍ୟାଚାର କରିଚାଲିଥିଲେ। ଏପରିକି ୧୫ ଦିନ ପୂର୍ବରୁ ପଞ୍ଚମ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ସ୍ବାମୀଙ୍କ ନିର୍ଯାତନା ସହି ନ ପାରି ଶୁକ୍ରବାର ରାତିରୁ ସୁଲୋଚନା ଜନ୍ମ କରିଥିବା ଶିଶୁକନ୍ୟାମାନଙ୍କୁ ନେଇ ଘରୁ ବାହାରି ଆସିଥିଲେ। କୌଣସି ଉପାୟ ନ ପାଇ ଶୀତ ରାତିରେ ମହିଳା ଜଣଙ୍କ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଜର ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବି ନେଇଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା କର୍ମଚାରୀଙ୍କ ଘର ବାରଣ୍ଡାରେ ମୁଣ୍ଡ ଗେଞ୍ଜିଥିଲେ।

ଖବର ପାଇ ବିଭିନ୍ନ ସେବା ସଂଗଠନ ସହିତ ରାଜ୍ୟ ମାନବାଧିକାର କର୍ମୀ ପହଞ୍ଚିଥିଲେ। ସମସ୍ତ ଘଟଣା ସମ୍ପର୍କରେ ବୁଝାଶୁଝା ପରେ ତାଙ୍କ ସୁରକ୍ଷା ଦାୟିତ୍ୱ ନେଇଥିଲେ। ଘଟଣା ସମ୍ପର୍କରେ ବୁଝାଶୁଝା ପରେ ସମସ୍ତ ସମସ୍ୟାକୁ ନେଇ ପରିବାର ପକ୍ଷରୁ ଭୁବନ ଥାନା ସହିତ ଢେଙ୍କାନାଳ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ଏହି ଘଟଣା ଉପରେ ପୋଲିସ ଗୁରୁତ୍ୱ ଦେଇନାହି ବୋଲି ଅଭିଯୋଗକାରିଣୀ ସୁଲୋଚନାଙ୍କ ମା’ କହିଛନ୍ତି।

ଏ ସଂକ୍ରାନ୍ତରେ ଭୁବନ ଥାନାଧିକାରୀ ଦାୟିତ୍ୱରେ ଥିବା ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ସୁବ୍ରତ କୁମାର ସାହୁ କହିଛନ୍ତି। ତଦନ୍ତ ଚାଲିଛି ଗତ ସେପ୍ଟେମର ମାସରେ ଅଭିଯୋଗ ହୋଇଥିବା ଅନୁମାନ କରାଯାଉଛି। ଯଥାଶୀଘ୍ର ଘଟଣା ସମ୍ପର୍କରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ।

Dharitri – Odisha’s No.1 Odia Daily

Share