ବାହାନଗା,୧୫।୩(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ମହାରୁଦ୍ରପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସନ୍ଦେହ ଯୋଗୁ ଗୋଟିଏ ହସଖୁସିର ସଂସାର ଉଜୁଡ଼ି ଯାଇଛି। ସ୍ବାମୀ ପରେଶ ମାଝୀ (୨୨) ନିଜ ପତ୍ନୀ ରଶ୍ମିରେଖାଙ୍କୁ ହତ୍ୟା କରିବା ପରେ ନିଜେ ଜୀବନ ହାରିଛନ୍ତି।
ସୂଚନା ମୁତାବକ, ମହାରୁଦ୍ରପୁର ଗ୍ରାମର ଦିବାକର ମାଝୀଙ୍କ ପୁଅ ପରେଶ, ୪ ବର୍ଷ ତଳେ ବାସୁଦେବପୁର ଥାନା ନୂଆଁଗାଁର ଗୟାଧର ପରିଡ଼ାଙ୍କ ଝିଅ ରଶ୍ମିରେଖାଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କର ୨ ବର୍ଷର ଏକ କନ୍ୟା ସନ୍ତାନ ମଧ୍ୟ ଅଛି। ତେବେ ଗତ କିଛି ଦିନ ହେବ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ସନ୍ଦେହକୁ ନେଇ କଳହ ଲାଗି ରହିଥିଲା। ଅନେକ ସମୟରେ ପରେଶ ମଦ୍ୟପାନ କରି ପତ୍ନୀଙ୍କ ସହ ପାଟିତୁଣ୍ଡ ଓ ମାରପିଟ କରୁଥିଲେ, ଯାହାକୁ ନେଇ ପୂର୍ବରୁ ଅନେକ ବାର ଗ୍ରାମର ଭଦ୍ରଲୋକଙ୍କ ଦ୍ୱାରା ସମାଧାନ କରାଯାଇଥିଲା।ଗତ ଶନିବାର ରାତିରେ ସମାନ ଘଟଣାକୁ ନେଇ ପୁଣି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ଏହାପରେ ମଦ ନିଶାରେ ପରେଶ ଉତ୍ତ୍ୟକ୍ତ ହୋଇ ରଶ୍ମିରେଖାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ଭୟଭୀତ ହୋଇ ପରେଶ ଘର ପଛପଟେ ଥିବା ଏକ ଆମ୍ବ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଦେଇଥିବା ଅଭିଯୋଗ ହୋଇଛି।
ପରେଶଙ୍କ ବାପା ଦିବାକର ରାତିରେ ସମୁଦ୍ରରୁ ମାଛ ମାରି ଫେରିବା ପରେ, ଛୋଟ ଝିଅଟିର କାନ୍ଦ ଶୁଣି ପୁଅ ଘର ଭିତରକୁ ଯାଇଥିଲେ। ସେଠାରେ ବୋହୂ ରଶ୍ମିରେଖା ତଳେ ମୃତ ଅବସ୍ଥାରେ ପଡ଼ିଥିବା ଦେଖି ଚମକି ପଡ଼ିଥିଲେ। ପରେ ପୁଅକୁ ଖୋଜାଖୋଜି କରିବା ସମୟରେ ଘର ପଛପଟ ଗଛରେ ପରେଶ ଝୁଲୁଥିବାର ଦେଖିବାକୁ ପାଇଥିଲେ।
ଘଟଣା ସମ୍ପର୍କରେ ସରପଞ୍ଚଙ୍କୁ ଜଣାଇବା ପରେ ଗୋପାଳପୁର ଥାନା ପୋଲିସକୁ ଖବର ଦିଆଯାଇଥିଲା। ରବିବାର ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।