ସୁଧୁରିଲେ ନାହିଁ ପ୍ରାଣୀଧନ ନିରୀକ୍ଷକ; ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିବା ପରେ ଗଲେ ଜେଲ୍‌…

ଦିଗପହଣ୍ଡି, ୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ପ୍ରାଣୀଧନ ନିରୀକ୍ଷକ ଶୁଭକାନ୍ତ ରାଉତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଶୁଭକାନ୍ତଙ୍କ ଘର କେନ୍ଦ୍ରାପଡା ଜିଲା ମହାକାଳପଡା ଥାନା ଅର୍ନ୍ତଗତ ବଡପଲ୍ଲି ଗ୍ରାମ ହୋଇଥିବା ବେଳେ ସେ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ପ୍ରାଣୀଧନ ନିରୀକ୍ଷକ ଭାବେ କାର୍ଯ୍ୟ କରନ୍ତି। ସେ ସେଠାରେ ଏକ ଭଡାଘରେ ରହୁଥିବା ଜଣାପଡିଛି।
ସୂଚନାନୁଯାୟୀ, ଗତ ୨୦୧୯ରେ ବାହାଘର ପରେ ବିଭିନ୍ନ ସମୟରେ ଶୁଭକାନ୍ତ ତାଙ୍କ ସ୍ତ୍ରୀ ତଅପୋଇଙ୍କୁ ମାରପିଟ କରୁଥିବା ନେଇ ପୂର୍ବରୁ ତଅପୋଇ କେନ୍ଦ୍ରାପଡ଼ା ଥାନାରେ ଲିଖିତ ଏତଲା କରିଥିଲେ। ଏନେଇ ମକଦ୍ଦମା ରୁଜୁ ହେବାପରେ ଶୁଭକାନ୍ତ ସେଠାକାର କୋର୍ଟରେ ଆଗାମୀ ଦିନରେ ସ୍ତ୍ରୀଙ୍କୁ ମାରପିଟ କରିବେ ନାହିଁ ବୋଲି ସତ୍ୟପାଠ ଦାଖଲ କରି ଜାମିନରେ ମୁକୁଳିଥିଲେ। ପରେ ଏଭଳି ଏକ ସମାନ ଘଟଣାରେ ମହାକାଳପଡା ଥାନାରେ ଉଭୟଙ୍କ ମଧ୍ୟରେ ମିଳାମିଶା ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଉଭୟଙ୍କ ଔରସରୁ ଏକମାତ୍ର ଝିଅର ଆବଶ୍ୟକ ଯତ୍ନ ନେଇ ଖୁସିରେ ରଖିବାକୁ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥାନାରେ ରାଜିନାମା ସ୍ବାକ୍ଷରିତ ହୋଇଥିଲା। ଶୁଭକାନ୍ତ ଓ ତଅପୋଇ କିଛିଦିନ ଭଲରେ ରହିବା ପରେ ୨୦୨୦ ମସିହାରୁ ପୁଣି ଥରେ ସେମାନଙ୍କ ମଧ୍ୟରେ ପାରିବାରିକ ବିବାଦ ଆରମ୍ଭ ହୋଇଥିଲା। ଗତ ଶୁକ୍ରବାର ଗୋକର୍ଣ୍ଣପୁର ଭଡ଼ାଘରେ ପୁଣି ଶୁଭକାନ୍ତ ତାଙ୍କୁ ନିସ୍ତୁକ ମାଡ଼ ମାରି ହତ୍ୟା ଉଦ୍ୟମ କରିଥିବା ନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଥିଲା। ସ୍ତ୍ରୀ ତଅପୋଇଙ୍କ ଏତଲା ଆଧାରରେ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ. ୩୮୧/୨୫ ଅନୁଯାୟୀ ଅଭିଯୁକ୍ତ ଶୁଭକାନ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଶନିବାର ଅପରାହ୍ନରେ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ସୋଫିଆ ମିଶ୍ର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଶୁଭକାନ୍ତଙ୍କୁ ଦିଗପହଣ୍ଡି ସବଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Share