ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ପୁରୁଷୋତ୍ତମ ମହାନ୍ତ।
ସୂଚନାନୁଯାୟୀ, ଦେବେନ୍ଦ୍ର ମହାନ୍ତଙ୍କ ପୁଅ ପୁରୁଷୋତ୍ତମ ଅନେକ ସମୟରେ ସ୍ତ୍ରୀ ସୁନେଲିଙ୍କୁ ମାର୍ପିଟ୍ କରନ୍ତି। ତେବେ ଶୁକ୍ରବାର ସାମାନ୍ୟ କଥାକୁ ନେଇ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉତକ୍ଷିପ୍ତ ହୋଇ ପୁରୁଷୋତ୍ତମ ଏକ ଲାଠି ସାହାଯ୍ୟରେ ସୁନେଲିଙ୍କୁ ପ୍ରବଳ ମାଡ଼ ମାରିଥିଲେ। ସୁନେଲିଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା ଏବଂ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ବାପା ଦେବେନ୍ଦ୍ର ସଙ୍ଗେସଙ୍ଗେ ବୋହୂଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ଆସିଥିଲେ । ହେଲେ ଏଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା। ପୁରୁଷୋତ୍ତମଙ୍କ ବାପା ଦେବେନ୍ଦ୍ର ପୋଲିସ ନିକଟରେ ତାଙ୍କ ପୁଅ ନାମରେ ଅଭିଯୋଗ କରିଥିଲେ। ପୋଲିସ ପକ୍ଷରୁ ୧୧୫ ନଂରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଶନିବାର ସା ସମୟରେ କୋର୍ଟ ଚାଲାଣ କରାଯାଇଛି। ତେବେ ପରିବାର ଲୋକଙ୍କ ମାଡ଼ରେ ପୁରୁଷୋତ୍ତମ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।
Dharitri – Odisha’s No.1 Odia Daily