ନର୍ସିଂହୋମ୍‌ ଅବହେଳା ଯୋଗୁ ସ୍ତ୍ରୀ-ଶିଶୁପୁତ୍ରକୁ ହରାଇବା ପରେ ଦିଗପହଣ୍ଡି ପୋଲିସର ଦ୍ୱାରସ୍ଥ ହେଲେ ସ୍ବାମୀ, ରୁଜୁ ହେଲା ମାମଲା

ଦିଗପହଣ୍ଡି,୧୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡରେ ଥିବା ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଜଣେ ପ୍ରସୂତି ଏବଂ ନବଜାତକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମହିଳାଙ୍କ ସ୍ବାମୀ ବାବୁ ନାୟକ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୭୪/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଥାଉ କି, ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମ ନିକଟ ସିଙ୍ଗପୁର ର ମାଗୁଣି ନାୟକଙ୍କ ଝିଅ ରୋଜି ପ୍ରାୟ ବର୍ଷକ ପୂର୍ବେ ପାଟପୁର ଥାନା କରାଖଣ୍ଡି ଗ୍ରାମର ଉଦୟ ନାୟକଙ୍କ ପୁଅ ବାବୁ ନାୟକଙ୍କୁ ବିବାହ କରିଥିଲେ। ବାବୁ ଗୁଜୁରାଟ ବରୋଦା ସ୍ଥିତ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ରୋଜି ଗର୍ଭବତୀ ହେବାପରେ ସିଙ୍ଗପୁର ଗ୍ରାମର ବାପଘରେ ରହୁଥିଲେ।ସେ ପ୍ରାୟ ୯ ମାସର ଗର୍ଭବତୀ ଥିଲେ। ରବିବାର ମଧ୍ୟାହ୍ନରେ ପେଟରେ ଯନ୍ତ୍ରଣା ହେବାରୁ ବାପଘର ଲୋକେ ତାଙ୍କୁ ଉକ୍ତ ନର୍ସିଂହୋମରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଆଲଟ୍ରା ସାଉଣ୍ଡ କରାଯାଇଥିଲା। ଅପରାହ୍ନରେ ପ୍ରସବ ବେଦନା ଅଧିକ ହେବାରୁ ଉପସ୍ଥିତ ନର୍ସିଂହୋମ କର୍ମଚାରୀମାନେ ତାଙ୍କ ପ୍ରସବ କରାଇବା ପାଇଁ ରୋଜିଙ୍କ ପରିବାର ଲୋକଙ୍କୁ କହିଥିଲେ। ସେଠାରେ ଅପରାହ୍ନ ପ୍ରାୟ ସାଢ଼େ ୪ ଟାରେ ତାଙ୍କୁ ପ୍ରସବ ପାଇଁ ନର୍ସିଂହୋମର ଅପରେସନ ଥିଏଟରକୁ ନିଆଯାଇଥିଲା। ସା ପ୍ରାୟ ୬ ଟାରେ ଜଣେ ମହିଳା ସ୍ବାସ୍ଥ୍ୟ କର୍ମଚାରୀ ବାବୁଙ୍କ ଶାଶୁ ମମତା ନାୟକଙ୍କୁ ଡାକି ତାଙ୍କୁ ଏକ ମୃତ ଶିଶୁପୁତ୍ର ଦେଇଥିଲେ। ସେହିଭଳି ରାତି ପ୍ରାୟ ୧୦ ଟାରେ ରୋଜିଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ନର୍ସିଂହୋମ କର୍ତ୍ତୃପକ୍ଷ ରୋଜିଙ୍କ ପରିବାର ଲୋକଙ୍କୁ ନ ଜଣାଇ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଦର୍ଶାଇ ୧୦୨ ଆମ୍ବୁଲାନ୍ସ ଡ଼କାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ। ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମା’ ହିନା ନାୟକ ବୋହୂ ଏବଂ ଜନ୍ମିତ ପୁତ୍ର ସନ୍ତାନର ମୃତ୍ୟୁ ହୋଇଥିବା ନେଇ ପୁଅ ବାବୁଙ୍କ ଫୋନ ଯୋଗେ ଜଣାଇଥିଲେ। ଘଟଣାର ଦିନକ ପୂର୍ବରୁ ଫୋନ ରେ ଭଲମନ୍ଦ କଥା ହୋଇଥିବା ସ୍ତ୍ରୀ ଙ୍କ ମୃତ୍ୟୁରେ ସେ ଅବାକ ହୋଇ ମର୍ମାହତ ହୋଇପଡ଼ିଥିଲେ। ରୋଜିଙ୍କ ମୃତଦେହ କରାଖଣ୍ଡି ଗ୍ରାମକୁ ନିଆଯାଇ ସୋମବାର ଗାଁ ଶ୍ମଶାନରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

ଘଟଣାର ଦିନକ ପରେ ବାବୁ ଘରେ ପହଞ୍ଚିଥିଲେ।ନର୍ସିଂହୋମ ରେ କୌଣସି ଡ଼ାକ୍ତର ଙ୍କ ଅନୁପସ୍ଥିତିରେ ଅନଭିଜ୍ଞ କର୍ମଚାରୀଙ୍କ ଦ୍ୱାରା ତାଙ୍କ ସ୍ତ୍ରୀଦ୍‌ଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଇଥିବା କାରଣରୁ ତାଙ୍କ ମୃତ୍ୟୁ ଘଟିଥିଲା। ଘଟଣାରେ ସମ୍ପୃକ୍ତ ଥିବା ନର୍ସିଂହୋମ ମାଲିକ, ଅପରେଶନ କରିଥିବା ନର୍ସିଂହୋମର ଡାକ୍ତର, ମହିଳା ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ ପ୍ରମୁଖଙ୍କ ଅବହେଳାରୁ ତାଙ୍କ ସ୍ତ୍ରୀ ଓ ଛୁଆଙ୍କ ମୃତ୍ୟୁ ଘଟିଥିବା ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେ ପୋଲିସ ନିକଟରେ ନିବେଦନ କରିଛନ୍ତି।

ଏନେଇ ଭାରପ୍ରାପ୍ତ ଆଇଆଇସିଙ୍କୁ ପଚାରିବାରୁ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ନିମନ୍ତେ ଏସଆଇ ଜ୍ୟୋତି ରଞ୍ଜନ ବେହେରାଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ଅପରପକ୍ଷରେ ଘଟଣା ଦିନଠାରୁ ଉକ୍ତ ନର୍ସିଂହୋମ ବନ୍ଦ ରହିଥିବା ଜଣାପଡିଛି।

Share
Tags: odisha