ହାସିସ୍‌ ତେଲ ଜବତ ପରେ ଚିତଲପଡ଼ା ଟାପୁରୁ ଶତାଧିକ କଡ଼କନାଥ, ଟର୍କି କୁକୁଡ଼ା ଉଭାନ

ନନ୍ଦପୁର,୩।୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଓ ପାଡୁଆ ପୋଲିସର ମିଳିତ ଚଢ଼ାଉରେ ନନ୍ଦପୁର ବ୍ଲକ ପରଜାବଡପଡ଼ା ପଞ୍ଚାୟତ ଜଳଘେରିରେ ଥିବା ଚିତଲପଡ଼ା ଟାପୁରେ ୧୮୦୦ ଲିଟର ଗଞ୍ଜେଇ ତେଲ(ହାସିସ୍‌ ଅଏଲ) ଓ ୧୦୦୦ କିଲୋ ଗଞ୍ଜେଇ ଜବତ ପରେ ଉକ୍ତ ଟାପୁରେ ରହୁଥିବା ୮ ପରିବାରର ଗଁା ବର୍ତ୍ତମାନ ପୁରୁଷ ଶୂନ୍ୟ ହୋଇରହିଛି। ଘଟଣା ପରେ ମହିଳାମାନେ ଭୟଭୀତ ସ୍ଥିତିରେ ରହିଛନ୍ତି। ଏହି ସମୟରେ ଗ୍ରାମରୁ କେତେଜଣ ଗ୍ରାମବାସୀ ପାଳିଥିବା ୧୦୦ରୁ ଊର୍ଦ୍ଧ୍ୱ କଡ଼କନାଥ କୁକୁଡ଼ା, ୧୫୦ରୁ ଊର୍ଦ୍ଧ୍ୱ ଟର୍କି କୁକୁଡା ଓ ୫୦ରୁ ଊର୍ଦ୍ଧ୍ୱ ବତକ ଉଭାନ ହୋଇଯାଇଥିବା ଜଣାପଡ଼ିଛି। ଟାପୁ ଚାରିପଟେ କିଲୋମିଟରରୁ ଊର୍ଦ୍ଧ୍ୱ ଜୋଲାପୁଟ ଜଳଭଣ୍ଡାରର ଅକାତ ଜଳରାଶି ଥିବା ବେଳେ କୁକୁଡ଼ା ଓ ବତକମାନେ ଉଭାନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି କୁକୁଡ଼ା ଓ ବତକଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ଗ୍ରାମବାସୀ ଆକଳନ କରିଛନ୍ତି।

Dharitri – Odisha’s No.1 Odia Daily

Share