କବିସୂର୍ଯ୍ୟନଗର,୯।୧(କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଓ ପୋଲସରା ରେଞ୍ଜ୍ ଅଧୀନ ଗୋବିନ୍ଦପୁର ଗ୍ରାମରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଫସଲ ନଷ୍ଟ କରୁଥିବା ଅଭିଯୋଗରେ କିଛି ଲୋକ ଏକ ମାଙ୍କଡ଼କୁ ନିର୍ଦ୍ଦୟ ଭାବେ ପିଟିପିଟି ମାରିବା ପରେ ଚାଷଜମିରେ ଥିବା ଏକ ଖୁଣ୍ଟରେ ତା’ର ଚାରିଗୋଡ଼କୁ ବାନ୍ଧି ଝୁଲାଇ ଦେଇଛନ୍ତି।
ଅଞ୍ଚଳରେ ମାଙ୍କଡ଼ପଲର ଉପଦ୍ରବ ଜାରି ରହିଥିବା ହେତୁ କେହି ଏଭଳି କ୍ରୂରତା ଦେଖାଇ ଥାଇପାରନ୍ତି ବୋଲି ଆଲୋଚନା ହେଉଛି। ତେବେ ଏହି ଘଟଣାକୁ ନେଇ ପରିବେଶବିତ୍ ଏବଂ ପଶୁପ୍ରେମୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିରୀହ ପ୍ରାଣୀ ପ୍ରତି ଏଭଳି କ୍ରୁରତା ଅବଲମ୍ବନ କରିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।
ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ମାଙ୍କଡ଼ର ଶବକୁ ଜବତ କରିଥିଲେ ଏବଂ ପରେ ଏହାକୁ ପୋତି ଦେଇଥିବା ଜଣାପଡ଼ିଛି। ବନ ବିଭାଗ ଘଟଣାର ତଦନ୍ତ କରୁଛି।