ଧର୍ମଶାଳା,୧୪ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ବୈଠକ ଗୋକର୍ଣ୍ଣେଶ୍ୱର ପୀଠରେ ଅନୁଷ୍ଠିତ ହେଉଥିବା ବେଳେ ସଂଗଠନ ମଧ୍ୟରେ ବିରାଟ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ବୈଠକ ଆରମ୍ଭରୁ ହୋ-ହଲ୍ଲା ହେବା ସହ ଚାଷୀମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। କିଛି ଚାଷୀ ଏହି ବୈଠକରେ ସଂଗଠନ ମୁଖ୍ୟଙ୍କ ଅନୁପସ୍ଥିତି ନେଇ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ। ଜାତୀୟ ପତାକା ହଲାଇ ଏହାକୁ ବିରୋଧ କରିଥିଲେ। ପରିସ୍ଥିତି କିଛି ସମୟ ପାଇଁ ଉତ୍ତେଜନା ପୂର୍ଣ୍ଣ ହୋଇ ଉଠିଥିଲା।
ସୂଚନା ଅନୁଯାୟୀ, ସଂଗଠନ ପକ୍ଷରୁ ବିଭିନ୍ନ କୃଷକ ସମସ୍ୟା ଓ ଦାବି ନେଇ ଆସନ୍ତା ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପଦଯାତ୍ରା ପାଇଁ ଏହି ପ୍ରସ୍ତୁତି ବୈଠକ ଡାକାଯାଇଥିଲା। କିନ୍ତୁ ବୈଠକ ସମୟରେ ସଂଗଠନର ରାଜ୍ୟ ସହ-ସଂଯୋଜକ ନିମାଇଁ ରାୟ ଓ ଜିଲା ସଂଯୋଜକ ଦୁର୍ଗା ପ୍ରସାଦ ଦାସଙ୍କ ଅନୁପସ୍ଥିତିକୁ ନେଇ କିଛି ସଦସ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ କେନ୍ଦ୍ର କରି ସଂଗଠନର କର୍ମକର୍ତ୍ତା ଓ କିଛି ସଦସ୍ୟଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଜିଲା ସଂଯୋଜକ ମାଧବାନନ୍ଦ ଶାନ୍ତି ବୈଠକକୁ ବିରୋଧ କରିବା ସହ ସଂଗଠନ ମଧ୍ୟରେ କିଛି ସଦସ୍ୟ ଚଞ୍ଚକତା କରୁଥିବା କହିଛନ୍ତି। ଧାନ ମଣ୍ଡି ଓ ନେତାଙ୍କଠାରୁ ମୋଟା ଟଙ୍କା କାରବାର କରି ଚାଷୀମାନଙ୍କ ସହ ଖେଳ ଖେଳୁଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି। ଶେଷରେ ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ୍ଡି. ମନଓ୍ବର ଅଲ୍ଲୀ ଓ ଅନ୍ୟ ସଦସ୍ୟମାନେ ମଧ୍ୟସ୍ଥତା କରି ପରିସ୍ଥିତିକୁ ଶାନ୍ତ କରିଥିଲେ। କିନ୍ତୁ ନବ ନିର୍ମାଣ କୃଷକ ସଂଗଠନର ଭିତରେ ଏକ ବଡ଼ ଫାଟ ସୃଷ୍ଟି ହୋଇଥିବା ଆଜିର ବୈଠକରୁ ବାରି ହେଉଛି।