ବରଗଡ଼ରେ ପୁଣି ବିପୁଳ ପରିମାଣର କଫସିରଫ୍‌ ଜବତ, ୬ଜଣଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ

ବରଗଡ଼,୨୪।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଟାଉନ ଥାନା ପୋଲିସ ଶନିବାର ପୁଣି ବିପୁଳ ପରିମାଣରେ କଫସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ, ବରଗଡ଼ ଟାଉନ ଥାନା ବରଡ଼ୋଲ ଗ୍ରାମର ସତ୍ୟବାନ ପ୍ରଧାନ(୪୨), ବିକ୍ରମ ପ୍ରଧାନ(୩୭), ବରଗଡ଼ ସିମେଣ୍ଟ ଫ୍ୟାକ୍ଟ୍ରି କେନାଲପଡ଼ାର ଦିଲ୍ଲୀପ ବାଦୀ(୨୮), ସମ୍ବଲପୁର ଜିଲା ବୁର୍ଲା ଥାନା ଢ଼ିପାପଡ଼ା ଦିନଦୟାଲ ନଗର ନିବାସୀ ସୁରଜ ନାଗ(୪୦), ଗଞ୍ଜାମ ଜିଲା ଗଙ୍ଗାପୁର ଥାନା କେନ୍ଦୁପଦର ମୂଳ ବାସିନ୍ଦା ତଥା ବର୍ତ୍ତମାନ ସମ୍ବଲପୁର ଜିଲା ବୁର୍ଲା ଥାନା ଗୌଡ଼ପାଲିରେ ରହୁଥିବା ସନ୍ତୋଷ କୁମାର ପଣ୍ଡା(୩୮) ଏବଂ ଅନିଲ ମହାନନ୍ଦ(୨୫)। ସେମାନଙ୍କ ପାଖରୁ ୧୩୦ ବୋତଲ କଫ୍‌ ସିରପ୍‌, ୨ଷ୍ଟ୍ରିପ୍‌ ନିଶା ବଟିକା, ଗୋଟିଏ ପଲସର୍‌ ବାଇକ୍‌(ନଂ-ଓଡ଼ି୧୭ଇ ୭୧୯୦), ଗୋଟିଏ ହୋଣ୍ଡା ଲିଭୋ ବାଇକ୍‌, ଗୋଟିଏ ଅଟୋ(ନଂ-ଓଡ଼ି୧୫କ୍ୟୁ ୦୩୦୭), ନଗଦ ୧୮୧୦ ଟଙ୍କା ଏବଂ ୫ମୋବାଇଲ ଜବତ ହୋଇଛି। ଏ ନେଇ ବରଗଡ଼ ଟାଉନ ଥାନା ପୋଲିସ ଏକ ମାମଲା(ନଂ-୫୦/୨୬) ରୁଜୁ କରି ଅଧିକ ତଦନ୍ତ କରୁଛି।

ପ୍ରକାଶ ଥାଉକି, ଗତ ୨୧ତାରିଖ ବରଗଡ଼ ଟାଉନ ଥାନା ପୋଲିସ ୫୦୫୦ ବୋତଲ କଫ୍‌ ସିରପ୍‌ ବରଗଡ଼-କଟାପାଲି ରାସ୍ତାପାର୍ଶ୍ୱ ବାଞ୍ଜିବାହାଲି କେନାଲ ବ୍ରିଜ ନିକଟରେ ରହିଥିବା ଜିଲା ବାହାରେ ଏସଡ଼ିପିଓ ପାହ୍ୟାରେ କାର୍ଯ୍ୟରତ ଜଣେ ପୋଲିସ ଅଧିକାରୀଙ୍କ ଫାର୍ମ ହାଉସରୁ ଜବତ କରିଥିଲା। ଏଥିରେ ସେତେବେଳେ ପୋଲିସ୍‌ ଜଣେ ମହିଳାଙ୍କ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ୨ ନାବାଳକଙ୍କୁ ଅଟକ ରଖିଥିଲା।

Dharitri – Odisha’s No.1 Odia Daily

Share