ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବୁଗୁଡ଼ା,୫ା୧୧(କାଳୀଚରଣ ଦାଶ): ଧର୍ମ ମାସ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବୁଧବାର ପ୍ରସିଦ୍ଧ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଚଳଚଞ୍ଚଳ ହୋଇ ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବୁଗୁଡ଼ା ସମେତ ଅନ୍ୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିବାବେଳେ ଭୋର୍‌ ସମୟରୁ ହିଁ ବୁଦ୍ଧଖୋଲ ଅଭିମୁଖେ ଭକ୍ତଙ୍କ ସୁଅ ଛୁଟିଥିଲା। ଭକ୍ତଗଣ ପାହାଚ ନତୁବା ଘାଟି ରାସ୍ତାରେ ଯାଇ ବୁଦ୍ଧଖୋଲ ପାହାଡ଼ରେ ବିରାଜମାନ ଜଗଦେଶ୍ବର ସ୍ବାମୀ, ଗଙ୍ଗାଧର ସ୍ବାମୀ, ମକରେଶ୍ବର ସ୍ବାମୀ, ବୁଦ୍ଧେଶ୍ବର ସ୍ବାମୀ ଓ ସିଦ୍ଧେଶ୍ୱର ସ୍ବାମୀ ଆଦି ପଞ୍ଚ ଶମ୍ଭୁଙ୍କ ଆଶିଷ ପ୍ରାପ୍ତାର୍ଥେ ଦର୍ଶନ କରିଥିଲେ। ଏଥିସହ ବୁଦ୍ଧଖୋଲ ପାଦଦେଶସ୍ଥ ଶିବ ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ସ୍ଥାପନ ସ୍ଥଳ ଲୋକାରଣ୍ୟ ପାଲଟିଥିଲା। ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ଶ୍ରଦ୍ଧାଳୁଙ୍କ ଠାକୁର ଦର୍ଶନ ସାଙ୍ଗକୁ ଯାନବାହନ ରହଣିର ସୁବନ୍ଦୋବସ୍ତ କରାଯାଇଥିଲା। ଯାନବାହନ ଚଳାଚଳ ଏବଂ ଟ୍ରାଫିକ ନିୟନ୍ତ୍ରଣ ସାଙ୍ଗକୁ ରହଣି ଦେୟ ସଂଗ୍ରହରେ ସ୍ବେଚ୍ଛାସେବୀମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିବାବେଳେ ପୋଲିସର ସହଯୋଗ ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ଗହଳି ରାସ୍ତାରେ ବସ୍‌ ଚଳାଚଳ ଯୋଗୁ କତକଲା ଗ୍ରାମ ରାସ୍ତାରେ ବାରମ୍ବାର ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା। ସେହିପରି ବୁଗୁଡ଼ାର ବଳଦେବ ଓ ବିରଞ୍ଚିନାରାୟଣ ମନ୍ଦିରରେ ମଧ୍ୟ ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା।

Dharitri – The Largest & Most Trusted Odia Daily

Share
Tags: Budhakhola