ଗଞ୍ଜାମ,୧୩।୧୦ (ବିଦ୍ୟାଧର ସାହୁ):ଯେକୌଣସି ଦୁର୍ଘଟଣା ସମୟରେ ଧନଜୀବନର ସୁରକ୍ଷା ଏବଂ ତୁରନ୍ତ ଉଦ୍ଧାର କାର୍ଯ୍ୟକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀ ପକ୍ଷରୁ ଏକ ମକ ଡ୍ରିଲ ଆୟୋଜିତ ହୋଇଥିଲା। ଏହି ମକ ଡ୍ରିଲ୍ରେ କ୍ଲୋରିନ ଗ୍ୟାସ ନିର୍ଗତ ହେବା ପରି ଜରୁରୀ ପରିସ୍ଥିତିରେ କିଭଳି ତ୍ୱରିତ ଓ ସୁରକ୍ଷିତ ଭାବେ ଉଦ୍ଧାର କାର୍ଯ୍ୟ କରାଯିବ, ସେନେଇ ବିଭିନ୍ନ ରଣକୌଶଳ ପ୍ରଦର୍ଶନ କରାଯାଇଥିଲା। ଫ୍ୟାକ୍ଟ୍ରି ଓ ବଏଲର୍ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ରଞ୍ଜିତ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ ଏହି ଅଭ୍ୟାସ ପରିଚାଳନା କରିଥିଲା।
କାର୍ଯ୍ୟକ୍ରମରେ କମ୍ପାନୀ ୟୁନିଟ ହେଡ ଜୟଦୀପ ମଣ୍ଡଳ, ଦୀପକ ଫର୍ଟିଲାଇଜର୍ସର ମୁଖ୍ୟ, ଓସଡମା ଡିପିଓ ଦେବେନ୍ଦ୍ର ନାୟକ, ସୁରକ୍ଷା ଓ ଅଗ୍ନିଶମ ବିଭାଗ ମୁଖ୍ୟ ମହେନ୍ଦ୍ର ବିଶ୍ୱାଳ, ମାନବ ସମ୍ବଳ ଅଧିକାରୀ ନୀରଜ ପଟ୍ଟନାୟକ, ଆଇଆର୍ ମୁଖ୍ୟ ପୁରୁଷୋତ୍ତମ ଶର୍ମା ଏବଂ ଥାନା ଏସଆଇ ଅନିରୁଦ୍ଧ ସୱାଇଁଙ୍କ ସମେତ କମ୍ପାନୀର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅଭ୍ୟାସରେ ଜଲା ଅଗ୍ନିଶମ ବିଭାଗର ଅଧିକାରୀ ଓ ସୁରକ୍ଷା କର୍ମଚାରୀଙ୍କ ସମେତ ମୋଟ ୧୭୫ ଜଣ ଅଂଶଗ୍ରହଣ କରିଥିଲେ। ମାତ୍ର ୨୩ ମିନିଟ ମଧ୍ୟରେ ଉଦ୍ଧାର ଓ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।
ଗ୍ୟାସ ନିର୍ଗତ ହେବା ପରେ ତାହା ସ୍ଥାନୀୟ ଅଞ୍ଚଳକୁ ବ୍ୟାପିବା ପୂର୍ବରୁ କିପରି ନିୟନ୍ତ୍ରଣ କରାଯାଇପାରିବ ଏବଂ ଲୋକଙ୍କ ଧନଜୀବନକୁ ସୁରକ୍ଷିତ ରଖାଯାଇପାରିବ, ସେଥିପ୍ରତି ମକ ଡ୍ରିଲ୍ରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ସିଏସଆର୍ ଆସିଷ୍ଟାଣ୍ଟ ପୁରୁଷୋତ୍ତମ ମୁଦୁଲି ଓ ଡି.କେ. ରାଓଙ୍କ ସମେତ ଗ୍ରାସୀମ କମ୍ପାନୀର କର୍ମଚାରୀମାନେ ସହଯୋଗ କରିଥିଲେ।
Dharitri – Odisha’s No.1 Odia Daily

