‘କେଉଁ ବ୍ୟାଙ୍କରେ କେତେ ଟଙ୍କା ରଖିଛ ଜଣାଅ’

ଭୁବନେଶ୍ୱର,୩ା୧୧(ରବିନାରାୟଣ ଜେନା): କେଉଁ ବ୍ୟାଙ୍କରେ କେତେ ଟଙ୍କା ରହିଛି ତା’ର ଟିକିନିଖି ହିସାବ ଲୋଡ଼ିଛନ୍ତି ରାଜ୍ୟ ସରକାର। ପବ୍ଲିକ ଆକାଉଣ୍ଟ କମିଟି(ପିଏସି) ଏବଂ ବିଧାନସଭା ପ୍ରଶ୍ନକୁ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହାକୁ ନେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ସମସ୍ତ ବିଭାଗର ସଚିବଙ୍କୁ ଅକ୍ଟୋବର ୨୨ରେ ପତ୍ର ଲେଖି ଅବଗତ କରାଇଛନ୍ତି।
ଅର୍ଥ ବିଭାଗ ପ୍ରମୁଖ ସଚିବ ପତ୍ରରେ ଦର୍ଶାଇଛନ୍ତି, କେଉଁ ବ୍ୟାଙ୍କରେ କେଉଁସବୁ ଆକାଉଣ୍ଟରେ କେତେ ଟଙ୍କା ରହିଛି ତାହା ପବ୍ଲିକ ଆକାଉଣ୍ଟ କମିଟି(ପିଏସି) ଜାଣିବାକୁ ଚାହିଁଛି। ଏହାସହିତ ବିଧାନସଭାର ପ୍ରଶ୍ନ ଏବଂ ଆର୍ଥିକ ସୁପରିଚାଳନାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ ସେପ୍ଟେମ୍ବର ୩୦ ସୁଦ୍ଧା ବିଭାଗ ଅଧୀନରେ ଥିବା ସମସ୍ତ ବ୍ୟାଙ୍କ ଖାତାରେ କେତେ ଟଙ୍କା କିପରି ରହିଛି ତା’ର ତଥ୍ୟ ନିର୍ଦ୍ଦିଷ୍ଟ ଫର୍ମାଟରେ ଦେବାକୁ ପଡ଼ିବ। ସେ ଦର୍ଶାଇଛନ୍ତି, ସରକାରଙ୍କ ପକ୍ଷରୁ ଅନ୍‌ଲାଇନ ବଜେଟ ପ୍ରକ୍ରିୟାରେ କେତେ ଟଙ୍କା ରାଜକୋଷରେ ଅଛି ଏବଂ ବାହାରେ ରହିଛି ତାହା ଜାଣିବାର ଆବଶ୍ୟକତା ରହିଛି, ଯଦ୍ଦ୍ବାରା କି ୨୦୨୬-୨୭ ଆର୍ଥିକବର୍ଷ ଲାଗି ବଜେଟ ପ୍ରସ୍ତୁତ ହୋଇପାରିବ। ତେଣୁ ବଜେଟରେ ପ୍ରସ୍ତୁତ ହୋଇଥିବା ସମସ୍ତ ଅର୍ଥର ହିସାବ ସରକାରଙ୍କୁ ଦେବାକୁ ହେବ।
ସେ କହିଛନ୍ତି, ସରକାରଙ୍କ ଅର୍ଥ କେଉଁ ବିଭାଗ, କେଉଁ ପିଏସ୍‌ୟୁ, ସୋସାଇଟି, ବିଶ୍ୱବିଦ୍ୟାଳୟ, ପୌରାଞ୍ଚଳ, ପିଆର୍‌ଆଇ, ନିର୍ଦ୍ଦେଶାଳୟ କିମ୍ବା କମିଶନର ତଥା ସଚିବସ୍ତରରେ ରହିଛି ତାହାର ଟିକିନିଖି ହିସାବ ଦେବାକୁ ପଡ଼ିବ। ଯେପରି କି କେଉଁ ବିଭାଗର ଯୋଜନା ଅର୍ଥ କେଉଁ ଜିଲାରେ ପଡ଼ିଛି, ଏହାର ବ୍ୟାଙ୍କ ଖାତା ନମ୍ବର ସହିତ ଏହା ସଞ୍ଚୟ ଖାତାରେ ଅଛି ନା ଚଳନ୍ତି ଖାତାରେ ଅଛି କିମ୍ବା ସ୍ଥାୟୀ ଜମା ଆକାରରେ ରହିଛି ତାହା ଜଣାଇବାକୁ ହେବ। ସେପ୍ଟେମ୍ବର ୩୦ ସୁଦ୍ଧା କେଉଁ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଏବଂ ବଳକା ରହିଛି ତା’ର ଆଇଏଫ୍‌ସି କୋଡ୍‌ ସହିତ ତୁରନ୍ତ ଦେବାକୁ ଅର୍ଥ ବିଭାଗ ପ୍ରମୁଖ ସଚିବ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଅବଗତ କରାଇଛନ୍ତି। ଏହାକୁ ନେଇ ଏବେ କେତେକ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ଅସାଧୁ ଅଧିକାରୀଙ୍କ ମଧ୍ୟରେ ଛନକା ପଶିଛି। ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନଭେମ୍ବର ପହିଲାରୁ ‘ଜଷ୍ଟ ଇନ୍‌ ଟାଇମ୍‌’ ନୀତି ପ୍ରଚଳନ ହୋଇଥିବାବେଳେ ସରକାର ଏହି ତଥ୍ୟ ଲୋଡ଼ିଛନ୍ତି। ଫଳରେ ଦୀର୍ଘଦିନ ଧରି ଯେଉଁ ଅସାଧୁ ଅଧିକାରୀ ସରକାରୀ ଅର୍ଥକୁ ନେଇ ଖେଳ ଖେଳୁଥିଲେ ତାହା ଏବେ ସର୍ବସମ୍ମୁଖକୁ ଆସିବାକୁ ଯାଉଛି।
ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟ, ନଗର ଉନ୍ନୟନ, ପଞ୍ଚାୟତିରାଜ, ବାଣିଜ୍ୟ ଓ ପରିବହନ, ପୂର୍ତ୍ତ, ଜଳସମ୍ପଦ ଭଳି କେତେକ ବିଭାଗରେ ହଜାର ହଜାର କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କରେ ଠୁଳ ରହିଛି। ଏଥିଯୋଗୁ ସରକାରଙ୍କୁ ମଧ୍ୟ ସୁଧ ଗଣିବାକୁ ପଡୁଛି।

Dharitri – Odisha’s No.1 Odia Daily

Share
Tags: Bankmoney