ନୂଆଦିଲ୍ଲୀ,୨୩ା୯: ଡିଜିଟାଲ ପେମେଣ୍ଟର ଯୁଗ ସତ୍ତ୍ବେ ଅନେକ ଲୋକେ ଘରେ ନଗଦ ଟଙ୍କା ରଖି ଲେଣଦେଣ କରନ୍ତି। କିନ୍ତୁ ଆୟକର ବିଭାଗର ଚଢ଼ାଉ ସମୟରେ ଘରେ ନଗଦ ରଖିବାର ଆଇନଗତ ସୀମା ନେଇ ପ୍ରଶ୍ନ ଉଠେ। ଆୟକର ବିଭାଗ ଅନୁଯାୟୀ, ଘରେ ନଗଦ ରଖିବାର କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ। ତେବେ, ରଖାଯାଇଥିବା ଅର୍ଥର ଉତ୍ସ ବୈଧ ହେବା ଆବଶ୍ୟକ। ଯଦି ଆପଣ ପ୍ରମାଣ କରିପାରନ୍ତି ଯେ ଏହା ଆପଣଙ୍କ ବେତନ, ବ୍ୟବସାୟ କିମ୍ବା ବୈଧ ଲେଣଦେଣରୁ ଆସିଛି, ତେବେ ଆପଣ ଯେକୌଣସି ପରିମାଣରେ ନଗଦ ରଖିପାରିବେ।
ଆୟକର ଆଇନ କ’ଣ କହୁଛି?
ଆୟକର ଆଇନର ଧାରା ୬୮ରୁ ୬୯ବି ଅନୁଯାୟୀ, ଯଦି ଆପଣ ନଗଦ କିମ୍ବା ସମ୍ପତ୍ତିର ଉତ୍ସ ପ୍ରମାଣ କରିପାରୁ ନାହାନ୍ତି, ତାହାକୁ ଆୟବହିର୍ଭୁତ୍ତ ବା ଅଣ-ଦାବି ଆୟ ଗଣାଯିବ। ଏହା ଉପରେ ଭାରୀ ଟିକସ ଓ ୭୮% ପର୍ଯ୍ୟନ୍ତ ଜୋରିମାନା ଲାଗିପାରେ। ଟିକସ ଚୋରିର ସନ୍ଦେହ ହେଲେ ମାମଲା ମଧ୍ୟ ଚାଲିପାରେ।
ତେଣୁ, ଘରେ ନଗଦ ରଖିବା ପୂର୍ବରୁ ଏହାର ବୈଧ ଉତ୍ସର ପ୍ରମାଣ ରଖିବା ଜରୁରୀ।


