ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି । ଡ୍ରାଇଭରମାନଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ।
ରବିବାର ଏକ ଟ୍ରକର ଚକା ଫାଟିଯିବା ପରେ ମଧ୍ୟ ଗାଡିଟି ଦ୍ରୁତ ଗତିରେ ଯାଇଥିଲା । ଫଳରେ ରାସ୍ତାରେ ପଡ଼ିଥିବା ଏକ ପଥର ଚକା ସାଇଡରୁ ଯାଇ ଘର କାଚରେ ବାଜି କାଚ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ଦ୍ରୁତ ଗତିରେ ଗାଡି ଚାଳନା ନକରିବାକୁ ଘର ମାଲିକ ଗଙ୍ଗା ରାଉଳ କମ୍ପାନୀ କର୍ତ୍ତୃପକ୍ଷ ଓ ଡ୍ରାଇଭରମାନଙ୍କୁ ବାରମ୍ବାର ତାଗିଦ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ନେଇ କହିଛନ୍ତି ।
ପ୍ରକାଶଯୋଗ୍ୟ ଯେ, ସେହି ଗୋଟିଏ ରାସ୍ତାରେ ହିଁ ତହସିଲ ଅଫିସ, ସବରେଜିଷ୍ଟର ଅଫିସ, ଜୟଶ୍ରୀ ସ୍କୁଲ, ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିର ଓ ଐତିହାସିକ ପୋତାଗଡ଼ ଯିବା ମୁଖ୍ୟ ରାସ୍ତା । ସକାଳ ହେବା ମାତ୍ରେ ଶହ ଶହ ଲୋକ, ଛାତ୍ରୀଛାତ୍ର ଉକ୍ତ ରାସ୍ତାରେ ଯିବା ଆସିବା କରୁଛନ୍ତି । ଏଥିସହ ଉକ୍ତ ରାସ୍ତା ପାର୍ଶ୍ଵରେ ପାଞ୍ଚ ପରିବାର ଦୀର୍ଘ ବର୍ଷ ହେବ ରହି ଆସୁଛନ୍ତି । ଏଭଳି ଦ୍ରୁତ ଗତିରେ ଗାଡି ଗଲେ ନିଶ୍ଚିତ ଦୁର୍ଘଟଣା ଘଟିବା ସମ୍ଭାବନାକୁ ଏଡେଇ ଦିଆ ଯାଇ ପାରିବା ନାହିଁ । ରବିବାର ହେତୁ ସ୍କୁଲ ଛୁଟି ଯୋଗୁଁ ନିଶ୍ଚିତ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି । ଏନେଇ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

