ଶୋଇଥିବାବେଳେ ଘରେ ଲାଗିଲା ନିଆଁ: ଆସବାବପତ୍ର ସହ ଜଳିଗଲା ନଗଦ ଟଙ୍କା, ସୁନାଗହଣା

ସାକ୍ଷୀଗୋପାଳ,୧୫ା୯(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ଚନ୍ଦନପୁର ଥାନା ବାଲିପଡ଼ା ପଞ୍ଚାୟତ ଅଧୀନ କାଳିଆକେରା ଗ୍ରାମର ବାବୁଲି ନାୟକ ଓ ମାନସ ନାୟକଙ୍କ ଘରେ ରବିବାର ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ସମସ୍ତ ଆସବାବପତ୍ର ଏବଂ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍‌ ଜଳିଯାଇଛି। ପରିବାର ଲୋକେ ଶୋଇଥିବା ବେଳେ ରାତି ଗୋଟାଏ ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ସେମାନେ ଉଠିବା ବେଳକୁ ଘର ସାରା ନିଆଁ ବ୍ୟାପି ଯାଇଥିଲା। ଜୀବନ ବଞ୍ଚାଇବାକୁ ପରିବାର ଲୋକେ ବାହାରକୁ ପଳାଇ ଆସିବାବେଳେ ଉପରେ ନିଆଁ ପଡ଼ିଯିବାରୁ ଦୁଇ ଜଣ ଆହତ ହୋଇଛନ୍ତି। ବାବୁଲି ନାୟକ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୪ ବଖରା ସମ୍ପୂର୍ଣ୍ଣ ଜଳିଯାଇଛି। ସମସ୍ତ ଆସବାବପତ୍ର ସହ ନଗଦ ୪ ଲକ୍ଷ ଟଙ୍କା (୫ଶହ ଟଙ୍କିଆ) ଏବଂ ୩ ଟି ମୋବାଇଲ ପୋଡ଼ଯାଇଛି। ଏଥିସହିତ ଘରେ ଥିବା ସୁନାରୁପା ଅଳଙ୍କାର ବି ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ପୁରୀ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇଥିବା ଜଣାପଡ଼ିଛି।

Share