Categories: ଯାଜପୁର

ବଜ୍ରପାତରେ ଜଳିଗଲା ଘର: ଅଗ୍ନିବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ବିଭିନ୍ନ ସଂଗଠନର କର୍ମକର୍ତ୍ତା

ଧର୍ମଶାଳା,୨୨ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବଡ଼କାଏମା ପଞ୍ଚାଯତର ଦାସ ସାହି ଗ୍ରାମର ଅଗ୍ନିବିପନ୍ନ ବାରିଣିଙ୍କ ପରିବାର ପାଖେ ବିଭିନ୍ନ ସଂଗଠନ ପହଞ୍ଚି ସହାୟତା ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଦାସସାହି ଗ୍ରାମର ବଟକୃଷ୍ଣ ଦାସଙ୍କ ଚାଳ ଛପର ଘରେ ଭଡ଼ା ନେଇ ବାରିଣି ଓ ତାଙ୍କ ସ୍ତ୍ରୀ ରହୁଥିଲେ। ଶନିବାର ଅପରାହ୍ନରେ ଅଚାନକ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ମାରିଥିଲା। ହଠାତ୍‌ ଏକ ବଜ୍ରପାତରେ ଘରେ ନିଆଁ ଲାଗିଯାଇଥିଲା। ଏ ଖବର ପାଇ ସେହିଦିନ ରାତିରେ ଅସହାୟ ବନ୍ଧୁ ପରିବାର ସଦସ୍ୟ ପହଞ୍ଚି
ଅଗ୍ନି ବିପନ୍ନଙ୍କ ସମସ୍ୟା ବୁଝି ରାତିରେ ରହିବାର ବ୍ୟବସ୍ଥା କରିବା ସହ ଦୁଇ ମାସର ରାଶନ ସାମଗ୍ରୀ ସହାୟତା କରିଥିଲେ। ସେହିପରି ରବିବାର ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସଦସ୍ୟଙ୍କ ସହ ଭାଜପା ଯୁବନେତା ଅଭିଷେକ ରାଉତ, ଶିଶିର ମହାରଣା ଅନ୍ୟ ଭାଜପା କର୍ମୀମାନେ ପହଞ୍ଚି ବାରିଣିଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ଗ୍ରୋସରୀ ସାମଗ୍ରୀ ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।