ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ବାଲେଶ୍ୱର ଜିଲାର ରେମୁଣା ଅଞ୍ଚଳର ପ୍ରଶାନ୍ତ ଶତପଥୀ ବୋଲି ଚିହ୍ନଟ କରାଯାଇଛି। ସେ ପହଲଗାମ ଗସ୍ତରେ ପରିବାର ଓ ବନ୍ଧୁଙ୍କ ସହ ଫଟୋ ଏବଂ ଭିଡିଓ ସେୟାର କରିବାର କିଛି ଘଣ୍ଟା ପରେ ନିହତ ହୋଇଛନ୍ତି।

ପ୍ରଶାନ୍ତ, ଯିଏ ବାଲେଶ୍ୱରସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପ୍ଲାଷ୍ଟିକ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଆଇପିଇଟି)ରେ କାର୍ଯ୍ୟ କରୁଥିଲେ, ତାଙ୍କ ପତ୍ନୀ ଓ ପୁଅ ସହ ଜମ୍ମୁ ଓ କାଶ୍ମୀର ଗସ୍ତରେ ଯାଇଥିଲେ। କିନ୍ତୁ ଆଜି ଅପରାହ୍ନରେ ପହଲଗାମରେ ଖାଦ୍ୟ ଖାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିଲେ।

ଏହି ଘଟଣା ସମ୍ପର୍କରେ କହି, ପ୍ରଶାନ୍ତଙ୍କ ବଡ଼ ଭାଇ ସୁଶାନ୍ତ ଶତପଥୀ କହିଛନ୍ତି, “ସେମାନେ (ପ୍ରଶାନ୍ତ, ତାଙ୍କ ପତ୍ନୀ ଓ ପୁଅ) ପରଶୁ ଜମ୍ମୁ ଓ କାଶ୍ମୀର ଗସ୍ତରେ ଘରୁ ବାହାରିଥିଲେ। କିନ୍ତୁ ଆଜି ଅପରାହ୍ନ ପ୍ରାୟ ୩:୩୦ରେ ମୋ ଭାଇଙ୍କ ପତ୍ନୀ ଫୋନ କରି କହିଥିଲେ ଯେ ଭାଇ ପ୍ରଶାନ୍ତ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଏବଂ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଛି।”

“ଯଦିଓ ମୋ ଭାଉଜ ଓ ପୁତୁରା କହିଛନ୍ତି ଯେ ସେମାନେ ସୁସ୍ଥ ଅଛନ୍ତି, ମୁଁ ପ୍ରଶାସନଙ୍କୁ ଅନୁରୋଧ କରୁଛି ଯେ ସେମାନେ ମୋ ଭାଇଙ୍କ ମୃତଦେହ ସହ ନିରାପଦରେ ଘରକୁ ପହଞ୍ଚିବା ପାଇଁ ସାହାଯ୍ୟ କରନ୍ତୁ,” ସେ ଅନୁରୋଧ କରିଛନ୍ତି।

ସେହିପରି ପ୍ରଶାନ୍ତଙ୍କ ବନ୍ଧୁ ଅମର କୁମାର ଦାସ କହିଛନ୍ତି, “ପ୍ରଶାନ୍ତ ମୋର ପିଲାଦିନର ବନ୍ଧୁ ଏବଂ ଆମେ ସଧାରଣତଃ ଏକାଠି ଗସ୍ତରେ ଯାଉଥିଲୁ। ଏଥର ମଧ୍ୟ ଆମେ ଏକାଠି ଯିବାକୁ ଯୋଜନା କରିଥିଲୁ। କିନ୍ତୁ ଅଫିସରୁ ଛୁଟି ନ ମିଳିବାରୁ ମୁଁ ତାଙ୍କ ସହ ଯାଇ ପାରିଲି ନାହିଁ। ସକାଳେ ସେ ତାଙ୍କ ଗସ୍ତର କିଛି ଭିଡିଓ ଓ ଫଟୋ ସେୟାର କରିଥିଲେ, କିନ୍ତୁ ଅପରାହ୍ନରେ ମୁଁ ତାଙ୍କ ମୃତ୍ୟୁର ଖବର ଶୁଣିଲି। ମୁଁ ବିଶ୍ୱାସ କରିପାରୁନି ଯେ ସେ ଚାଲିଗଲା। ମୁଁ ପୋଲିସ, ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଯେ ପ୍ରଶାନ୍ତଙ୍କ ମୃତଦେହ ଏବଂ ତାଙ୍କ ପତ୍ନୀ ଓ ପୁଅକୁ ନିରାପଦରେ ଘରକୁ ଆଣିବା ପାଇଁ ପଦକ୍ଷେପ ନିଅନ୍ତୁ।”

ଏହାରି ମଧ୍ୟରେ, ଅନନ୍ତନାଗ ପୁଲିସ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି ଏବଂ ୨୪/୭ ସାହାଯ୍ୟ ଡେସ୍କ ଖୋଲିଛି। ଅନନ୍ତନାଗରେ ଥିବା ପୁଲିସ କଣ୍ଟ୍ରୋଲ ରୁମ ପର୍ଯ୍ୟଟକମାନଙ୍କୁ ସାହାଯ୍ୟ କିମ୍ବା ସୂଚନା ପାଇଁ ସୁବିଧା ଯୋଗାଇ ଦେଉଛି, ଯୋଗାଯୋଗ ନମ୍ବର ହେଉଛି: ୯୫୯୬୭୭୭୬୬୯, ୦୧୯୩୨୨୨୫୮୭୦, ଏବଂ ହ୍ୱାଟ୍ସଆପ ୯୪୧୯୦୫୧୯୪୦।

Share