ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେ ହେଲେ ଜକର ଗ୍ରାମର ପୂର୍ବତନ ନାଏବ ସରପଞ୍ଚ ଲିଲ ପ୍ରଧାନ(୬୦)। ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ ତାଙ୍କୁ ଉଦ୍ଧାର କରି ନିଜ କାର୍ରେ ପ୍ରଥମେ ବୋମକେଇ ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଞ୍ଚାୟତ କାର୍ଯ୍ୟାଳୟର ତଳ ମହଲାରେ ହିତାଧିକାରୀମାନଙ୍କୁ ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ବଣ୍ଟନ ଚାଲିଥିବା ବେଳେ କାର୍ଯ୍ୟାଳୟର ଉପର ମହଲାରେ ଥିବା ମିଶନ ଶକ୍ତି କେନ୍ଦ୍ର କୋଠାରେ କିଶୋରୀ ମେଳା କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ବହୁ ସଂଖ୍ୟକ ବ୍ୟକ୍ତି ପଞ୍ଚାୟତ କାର୍ଯ୍ୟାଳୟକୁ ଯା’ ଆସ କରୁଥଲେ। ରାସ୍ତାକଡ଼ ଗଛରେ ଥିବା ଏକ ମହୁଫେଣାରୁ ହଜାର ହଜାର ସଂଖ୍ୟାରେ ମହୁମାଛି ଉଡ଼ି ଆସି ସେଠାରେ ଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲେ। ପ୍ରାଣ ବିକଳରେ ଲୋକେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ନେଇ ଫେରୁଥିବା ଲିଲ ପ୍ରଧାନ ଦୌଡ଼ି ନ ପାରିବାରୁ ତାଙ୍କୁ ମହୁମାଛି ବେଢ଼ିଯାଇ ଦେହସାରା କାମୁଡ଼ିବାରୁ ସେ ସେଠାରେ ଛଟପଟ ହୋଇ ତଳେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ସୁନାମ ପ୍ରଧାନ,କୃଷ୍ଣ ଗୌଡ଼, ବଣ୍ଟି ପ୍ରଧାନଙ୍କ ସମେତ ଅନ୍ୟ କିଛି ଯୁବକ ସାହସର ସହିତ ତାଙ୍କୁ ଉଦ୍ଧାର କରି ସରପଞ୍ଚଙ୍କ କୋଠରିକୁ ନେଇଆସିଥଲେ। ତଥାପି ମହୁମାଛି ଦଳ ସେମାନଙ୍କୁ ଛାଡ଼ି ନ ଥିଲେ। ସମସ୍ତଙ୍କୁ ଏକ ପାଲ ଘୋଡ଼ାଇ ଦିଆଯାଇଥିଲା। ମହୁମାଛି ଆକ୍ରମଣରେ ଆହତ ଅନ୍ୟ ୩ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।