ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ ମା’ଙ୍କୁ ଭେଟି ସମବେଦନା ଜଣାଇଛନ୍ତି ଅନୁଭବ। ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡିଆ ଠାରେ ଓଡିଶା କଳାକାର ଏକତା ମଞ୍ଚ ଦ୍ୱାରା ହ୍ୟୁମାନ ସାଗରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ରଖାଯାଇଛି। ସେହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଓ ସଂଗୀତ ଦୁନିଆରେ ବହୁତ ଜଣାଶୁଣା ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅନୁଭବ ମହାନ୍ତି ମଧ୍ୟ ସେହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଟିଟିଲାଗଡ଼ରେ ପହଞ୍ଚିଛନ୍ତି। ହ୍ୟୁମାନ ସାଗରଙ୍କ ମା’ଙ୍କୁ ଭେଟିବା ପରେ, ଅନୁଭବ କହିଛନ୍ତି ମୁଁ ତାଙ୍କର ବଡ଼ ପୁଅ ହେଇକି ରହିବି। ହ୍ୟୁମାନ ଚାଲିଗଲେ ମୋର ଭଏସ୍‌ ଚାଲିଗଲା। ତାଙ୍କ ବିନା ମୁଁ କିଛି ଭାବି ବି ପାରୁନାହିଁ ବୋଲି ଅନୁଭବ କୋହଭରା କଣ୍ଠରେ କହିଛନ୍ତି।

ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଅନୁରୋଧ କରି ସାରିଛି, ତଦନ୍ତ କିଛି ଆଗେଇଛି, ଯେଉଁମାନେ ଦୋଷୀ ସେମାନେ ଦଣ୍ଡିତ ହୁଅନ୍ତୁ ବୋଲି ଅନୁଭବ କହିଛନ୍ତି।

Dharitri – Odisha’s No.1 Odia Daily

 

Share