ଥୁଆମୂଳରାମପୁର, ୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକର ବଡ଼ଛତ୍ରଙ୍ଗ ଗ୍ରାମରେ ରାଧାକୃଷ୍ଣ ପୂଜା କମିଟି ପକ୍ଷରୁ ଚଳିତ ବର୍ଷର ପବିତ୍ର ହୋଲି ଉତ୍ସବ ଅତ୍ୟନ୍ତ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୩ ଏବଂ ୪ ତାରିଖ ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକତା ଓ ସାଂସ୍କୃତିକ କଳାର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥିଲା। ଉତ୍ସବର ପ୍ରଥମ ଦିନ ଅର୍ଥାତ୍ ଫାଲ୍ଗୁନ ପୂର୍ଣ୍ଣିମା ମଙ୍ଗଳବାର ଦିନ ପ୍ରାତଃ ୧୧ଟା ସମୟରେ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ପୂଜା ଆରମ୍ଭ ହେବା ସହ ସନ୍ଧ୍ୟାରେ ମଞ୍ଚ ଉଦ୍ଘାଟନ ଓ କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରମ୍ପରା ଅନୁଯାୟୀ ସନ୍ଧ୍ୟାରେ ହୋଲି ପୋଡ଼ା ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ସରପଞ୍ଚ ଭାରତୀ ମାଝୀ ମୁଖ୍ୟ ଅତିଥି ଏବଂ ମାଣିକ୍ୟ ଚନ୍ଦ୍ର ନାଏକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ୫ ନମ୍ବର ୱାର୍ଡ ସଭ୍ୟା ଦୂପେନ୍ଦ୍ରି ନାଏକ, ୪ ନମ୍ବର ୱାର୍ଡ ସଭ୍ୟା କୁମାରୀ ମାଝୀ, ୩ ନମ୍ବର ୱାର୍ଡ ସଭ୍ୟ ଯଶବନ୍ତ ମାଝୀ, ଅଙ୍ଗନୱାଡ଼ି କର୍ମୀ ଜେମା ମାଝୀ, ବରିଷ୍ଠ ସାମ୍ବାଦିକ ବଳଭଦ୍ର ବାଗ ଏବଂ ଯୁବ ସାମ୍ବାଦିକ ଦୁର୍ଗା କୀର୍ତ୍ତି ଉପସ୍ଥିତ ରହିଥିଲେ। ଏଥିସହ ଗାଁ ଦିଶାରି ଧନସିଂ ମାଝୀ, ଗ୍ରାମରକ୍ଷୀ ମଦନ ନାଏକ, ରୂପାଧର ମାଝୀ, ରାମଧାନୀ ନାଏକ, ଘାସିରାମ ମାଝୀ ଓ ସାନ ମାଝୀଙ୍କ ସମେତ ଗ୍ରାମର ସମସ୍ତ ଭଦ୍ରମଣ୍ଡଳୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ହୋଲି ଉତ୍ସବ ପାଳନ କମିଟିର ସଭାପତି ଧନୁର୍ଜୟ ମାଝୀ, ଉପ-ସଭାପତି ଧନୁ ମାଝୀ, ସମ୍ପାଦକ ଧ୍ରୁବ ଚରଣ ମାଝୀ ଏବଂ ସହ-ସମ୍ପାଦକ ତଳିନ୍ଦ୍ର ପୁଝାରୀ ଓ ରାଜେନ୍ଦ୍ର ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। କୁମୁଦ ନାଏକ ଏବଂ ଲମ୍ବୋଦର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ରାଧାକୃଷ୍ଣ ପୂଜା କମିଟିର ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଦ୍ୱିତୀୟ ଦିନ ବୁଧବାର ସକାଳେ ହୋଲି ଖେଳ ଏବଂ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହି ଦୁଇ ଦିନିଆ ଉତ୍ସବ ଉଦ୍ଯାପିତ ହେବ।