ହିନ୍ଦୁ ଯୁବତୀଙ୍କୁ ମୁସଲମାନ ଯୁବକଙ୍କ ପ୍ରତାରଣା: ହୋଟେଲରେ ରଖି ଦେଉଥିଲେ ନିର୍ଯାତନା, ଶାରୀରିକ ସମ୍ପର୍କ ରଖିବା ସହ…

ଭୁବନେଶ୍ୱର,୯ା୩ (ତ୍ରିନାଥ ମହାନ୍ତି): ଜଣେ ହିନ୍ଦୁ ଯୁବତୀଙ୍କୁ ଜନୈକ ମୁସଲମାନ ଯୁବକ ପ୍ରେମ ପ୍ରତାରଣା କରିଛନ୍ତି। ଯୁବକ ଜଣକ ମୁସଲମାନ ବୋଲି ନ ଜଣାଇ ଯୁବତୀଙ୍କୁ ପ୍ରଥମେ ପ୍ରେମରେ ଫସାଇଥିଲେ। ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ। ଏପରି କି ଯୁବକ ଜଣକ ଯୁବତୀଙ୍କୁ ରାଜଧାନୀ ଭୁବନେଶ୍ୱରର ଏକ ହୋଟେଲରେ ରଖି ନିର୍ଯାତନା ଦେବା ସହ ରାଜ୍ୟ ବାହାରକୁ ଚାଲାଣ କରିବାକୁ ଯୋଜନା କରିଥିଲେ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଶହୀଦନଗର ଥାନା ଅଞ୍ଚଳରୁ। ଖବର ପାଇବା ପରେ ପୋଲିସ ଉକ୍ତ ହୋଟେଲରେ ଚଢ଼ାଉ କରି ଯୁବତୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଇର୍ଫାନ ଅନ୍‌ସାରୀଙ୍କୁ ଗିରଫ କରିଛି। ଏଥିସହ ହୋଟେଲରୁ ଏକାଧିକ ନକଲି ପରିଚୟପତ୍ର, କର୍ନାଟକ ନମ୍ବରର ଏକ କାରରୁ ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ର ଜବତ କରାଯାଇଛି।
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଇର୍ଫାନ ଅନସାରୀଙ୍କ ଘର କର୍ନାଟକରେ। ପୀଡ଼ିତା ଯୁବତୀଙ୍କ ଘର ଭଦ୍ରକରେ ହୋଇଥିବାବେଳେ ସେ ଚେନ୍ନାଇର ଏକ ହୋଟେଲରେ କାମ କରୁଥିବାବେଳେ ଇର୍ଫାନଙ୍କ ସହ ପରିଚିତ ହୋଇଥିଲେ। ଇର୍ଫାନ ପ୍ରକୃତ ପରିଚୟ ଲୁଚାଇ ନିଜ ନାଁ ଜୟରାମ ଶର୍ମା ଓ ହିନ୍ଦୁ ବୋଲି କହି ସମ୍ପର୍କ ବଢ଼ାଇଥିଲେ। ଏପରିକି ବାରମ୍ବାର ଯୁବତୀ ଜଣକ କାମ କରୁଥିବା ଉକ୍ତ ହୋଟେଲରେ ରହି ତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ଶେଷରେ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। କିଛିଦିନ ତଳେ ଅଭିଯୁକ୍ତ ଉକ୍ତ ଯୁବତୀଙ୍କୁ ପୁରୀ ବୁଲାଇ ଆଣି ହୋଟେଲରେ ରହିଥିଲେ। ଏହି ସମୟରେ ଯୁବତୀ ଜଣକ ତାଙ୍କର ଅସଲି ପରିଚୟ ଜାଣିବାକୁ ପାଇଥିଲେ। ଜୟରାମ ମୁସଲିମ୍‌ ଓ ତାଙ୍କର ପ୍ରକୃତ ନାମ ଇର୍ଫାନ ବୋଲି ଜାଣିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଇର୍ଫାନ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। କୌଶଳକ୍ରମେ ଯୁବତୀ ଜଣକ ହୋଟେଲରୁ ବାହାରକୁ ଆସି ପୁରୀ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଥିଲେ। ହେଲେ ସେଠାରେ ଇର୍ଫାନ ଭୁଲ୍‌ ମାଗିବା ସହ ଯୁବତୀଙ୍କୁ ବୁଝାଶୁଝା କରି ଭୁବନେଶ୍ୱର ନେଇଆସିଥିଲେ। ଶହୀଦନଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଦୁହେଁ ରହିଥିଲେ। ସେଠାରେ ପୁଣି ଇର୍ଫାନଙ୍କର ଏକାଧିକ ପରିଚୟପତ୍ର ଦେଖିବା ପରେ ବଚସା ହୋଇଥିଲା। ସେ ଖସି ଆସିବାକୁ ଚେଷ୍ଟା କରିଥିଲେ ମଧ୍ୟ ଇର୍ଫାନ ଜବରଦସ୍ତି ହୋଟେଲ ଭିତରେ ବନ୍ଧକ ରଖି ମାରପିଟ୍‌ କରୁଥିଲେ। ଏପରିକି ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିବା ସହ କର୍ନାଟକ ନେଇଯିବାକୁ ଉଦ୍ୟମ କରିଥିଲେ। ଧର୍ମ ପରିବର୍ତ୍ତନ କରିବାକୁ ଯୁବତୀ ମନା କରିବାରୁ ତାଙ୍କୁ ପୁଣି ମାଡ଼ ମାରିବା ସହ ଅକଥନୀୟ ନିର୍ଯାତନା ଦେଉଥିଲେ। ଯୁବତୀ ଜଣକ ଫୋନ୍‌ କରି ଶହୀଦନଗର ଥାନାକୁ ଜଣାଇଥିଲେ। ଯୁବତୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ମାମଲା ନଂ.୧୩୩/୨୬ ରୁଜୁ କରି ଇର୍ଫାନଙ୍କୁ ଗିରଫ କରିଛି। ବିବାହର ପ୍ରତିଶ୍ରୁତି ଦେଇ ବଳାକତ୍ାର କରିବା, ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିବା ଏବଂ ନିର୍ଯାତନା ଦେବା ଭଳି ସଙ୍ଗିନ ଦଫା ଲଗାଇ ଇର୍ଫାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଇର୍ଫାନ୍‌ କେବଳ ଏହି ଜଣେ ଯୁବତୀ ନା ଆଗରୁ ଆଉକାହାକୁ ଲଭ୍‌ ଜିହାଦରେ ଫସାଇଛନ୍ତି, ସେନେଇ ପୋଲିସ ଖୋଳତାଡ଼ କରୁଛି।

Dharitri – Odisha’s No.1 Odia Daily

Share