ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ ବାଇମାଲା ଚେକ୍ ଗେଟ୍ଠାରେ ଶତାଧିକ ଲୋକ ରାଜପଥକୁ ଅବରୋଧ କରି ବିକ୍ଷୋଭ କରିଥିଲେ। ପରେ ପୋଲିସ ପ୍ରଶାସନ ଏବଂ ଜାତୀୟ ରାଜପଥ ବିଭାଗ ଓ ତହସିଲଦାର ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ୭ଦିନରୁ ୧୫ ଦିନ ମଧ୍ୟରେ ପ୍ରଥମେ ଆବଶ୍ୟକ ଘାଟି ରାସ୍ତାକୁ ମରାମତି କାର୍ଯ୍ୟକୁ ତୁରନ୍ତ କରାଯିବା ସହ ଶୀଘ୍ର ଟେଣ୍ଡର ଖୋଳାଯାଇ ସମ୍ପ୍ରସାରଣ କାର୍ଯ୍ୟ କରାଯିବାକୁ ରାଜପଥ ବିଭାଗର ବ୍ରହ୍ମପୁର ଡିଭିଜନର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ସୌମ୍ୟ ରଞ୍ଜନ ମଲ୍ଲିକ ପ୍ରତିଶ୍ରୁତି ଦେବା ପରେ ପ୍ରାୟ ୬ ଘଣ୍ଟା ପରେ ଅବରୋଧ ହଟିଥିଲା।
ପ୍ରକାଶ ଯେ, ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ, ଗଞ୍ଜାମ ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଥିଲା। ଶତାଧିକ ଅଞ୍ଚଳବାସୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ସେମାନଙ୍କ ଦାବି ଓ ଅଭିଯୋଗ ଯେ, ଉକ୍ତ ରାଜପଥକୁ ସରକାର ସମ୍ପ୍ରସାରଣ କରିଥିଲେ ସୁଦ୍ଧା ଦାରିଙ୍ଗବାଡ଼ିଠାରୁ ସୋରଡ଼ାକୁ ସଂଯୋଗ କରୁଥିବା ଉକ୍ତ ରାଜପଥର ଗାଜଲବାଡ଼ି ଘାଟି ରାସ୍ତାର ପ୍ରାୟ ୨୪ କିମି ରାସ୍ତା ସମ୍ପ୍ରସାରଣ ହୋଇପାରିନାହିଁ ଅଣଓସାରିଆ ରାସ୍ତାରେ ପ୍ରାୟ ଭାରୀଯାନ ସମେତ ଅନ୍ୟାନ୍ୟ ଗାଡ଼ିମୋଟର ଦୁର୍ଘଟଣା ଘାଟି ବହୁ ଧନଜୀବନ ନଷ୍ଟ ହେଉଛି। ଘାଟି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭ ସହ ୨୦ କୋଟି ଟଙ୍କା ଅନୁଦାନ ଘୋଷଣା କରାଯାଇଥିଲେ ସୁଦ୍ଧା ଘାଟି ରାସ୍ତାକୁ ସମ୍ପ୍ରସାରଣ କରାଯିବରେ ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗରେ ବିକ୍ଷୋଭ ଓ ରାଜପଥ ଅବରୋଧ କରାଯାଇଥିବା ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ କହିଛନ୍ତି। ଏବେ ପ୍ରତିଶ୍ରୁତି ଅନୁସାରେ ଯଦି କାର୍ଯ୍ୟ କରା ନ ଯାଏ ଆଗାମୀ ଦିନରେ ଆହୁରି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିର ତଦାରଖ ପାଇଁ ବାଲିଗୁଡ଼ା ଏସ୍ଡିପିଓ ଶୁଭମ ଭୋସଲେ, ଡିଏସ୍ପି ତଥା ଦାରିଙ୍ଗବାଡ଼ି ଥାନା ଅଧିକାରୀ କନକ ମାଝୀ ସଦଳବଳ ଉପସ୍ଥିତ ଥିଲେ।
ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ଜିଲାପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ, ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ଅଞ୍ଚଳବାସୀ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ, ଆନ୍ଦୋଳନଟି ସକାଳ ୬ଟା ରୁ ୧୨ ଘଣ୍ଟିଆ ରାସ୍ତା ଅବରୋଧ ରହିଥିବାବେଳେ ପ୍ରତିଶ୍ରୁତି ପରେ ୬ ଘଣ୍ଟାରେ ଅବରୋଧ ହଟିଥିଲା।


