ଭଞ୍ଜନଗର,୧୨ା୮(ବାବୁଲା ପ୍ରଧାନ): ସ୍ବାଧୀନତା ଦିବସ ପରିପ୍ରେକ୍ଷୀରେ ତ୍ରିରଙ୍ଗା ଯାତ୍ରା ଓ ଦେଶାତ୍ମକ ବୋଧକ କାର୍ଯ୍ୟକ୍ରମ କରିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଣ ପାଇଛି। ଭାଜପା ମଧ୍ୟ ପ୍ରତ୍ୟେକ ପଞ୍ଚାୟତରେ ତ୍ରିରଙ୍ଗା ଯାତ୍ରା ଆୟୋଜନ କରୁଛି। ମଙ୍ଗଳବାର ମୁଜାଗଡ଼ ଏବଂ ଅନ୍ୟ ଭାଜପା ମଣ୍ଡଳଗୁଡ଼ିକରେ ତ୍ରିରଙ୍ଗା ଯାତ୍ରା ହୋଇଥିଲା। ସେହିପରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଓ ଦେଶାତ୍ମକବୋଧକ କାର୍ଯ୍ୟକ୍ରମ କରିବା ପାଇଁ ଶିକ୍ଷାନୁଷ୍ଠାନଗୁଡିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ରାଜ୍ୟର ୭୪୬ଟି ସରକାରୀ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟକୁ ଉକ୍ତ କାର୍ଯ୍ୟକ୍ରମ କରିବା ପାଇଁ ୧ କୋଟି ୨୦ ଲକ୍ଷ ୧୫ ହଜାର ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ଛାତ୍ରୀଛାତ୍ରଙ୍କ ସଂଖ୍ୟାକୁ ଦେଖି କଲେଜ ପିଛା ସର୍ବାଧିକ ୩୦ ହଜାର ଟଙ୍କା, ୧୫ ହଜାର ଟଙ୍କା ଏବଂ ସର୍ବନିମ୍ନ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟକୁ ୩୦ ହଜାର ଟଙ୍କା ଆସିଥିବା ବେଳେ ସାବିତ୍ରୀ ମହିଳା ମହାବିଦ୍ୟାଳୟକୁ ମଧ୍ୟ ୩୦ ହଜାର ଟଙ୍କା ଆସିଛି। ଏଥିସହ ସଂସ୍କୃତି ବିଭାଗ ପକ୍ଷରୁ କଲେଜ ଗୁଡ଼ିକୁ ୨୦୦ ତ୍ରିରଙ୍ଗା ପତାକା ପ୍ରଦାନ କରାଯିବ। ସ୍ବୟଂଶାସିତ ମହାବିଦ୍ୟାଳୟ ଗୁଡ଼ିକୁ ୫୦୦ ଏବଂ ବିଶ୍ବବିଦ୍ୟାଳୟକୁ ୧୦୦୦ ଲେଖାଏ ଜାତୀୟ ପତାକା ପ୍ରଦାନ କରାଯିବ। ସରକାର ପ୍ରଦାନ କରିଥିବା ଅର୍ଥର ବିନିଯୋଗ ପ୍ରମାଣପତ୍ର ଆସନ୍ତା ୩୦ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଆସିଛି।


